ବଡ଼ଯାତ୍ରା ପାଇଁ ପୋଲୁରଠାରେ ସ୍ଥିତି ଅନୁଧ୍ୟାନ କଲେ ଏସଡିସି ଅଧ୍ୟକ୍ଷ ଓ ଜିଲ୍ଲାପାଳ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପ୍ରତି ୨ ବର୍ଷରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ବଡ଼ଯାତ୍ରା ଚଳିତ ବର୍ଷ କୋଭିଡ୍-୧୯ ନିୟମ ଅନୁଯାୟୀ ପାଳନ ପାଇଁ ନିଷ୍ପତି ନିଆଯାଇଥିବା ବେଳେ ପୋଲେରୁ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ସମୀକ୍ଷା କରାଯାଉଛି। ଆସନ୍ତା ୨୨ ତାରିଖରେ ଓଡ଼ିଶା ସୀମାନ୍ତ ପୋଲେରୁ ଠାରେ ତିନି ଠାକୁର ଏବଂ ଦେବୀ ମୃତ୍ୟୁଲୁମ୍ମା ସିଲେରୁ ନଦୀରେ ନୌକା ବିହାର ସହ ଆନ୍ଧ୍ରର ତାଡ଼କାରେହୁ ଅଭିମୁଖେ ଯାଇ ସ୍ନାନ କରି ପୁଣି ମାନ୍ୟମକୋଣ୍ଡା ଫେରିବାର କାର୍ଯ୍ୟକ୍ରମ ରହିଛି। ପରେ ମାନ୍ୟମକୋଣ୍ଡାଠାରେ ପୂଜାର୍ଚ୍ଚନା ପରେ ମାଲକାନଗିରି ଅଭିମୁଖେ ୨୨ ତାରିଖରୁ ଯାତ୍ରା ଆରମ୍ଭ କରିବେ।

ପୋଲୁର ଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ କମାଇବା, ସେମାନଙ୍କ ରହଣି, ଖାଦ୍ୟପେୟ, ନଦୀ ପାର ହେବା, ବ୍ୟାରିକେଟରେ ଯାଇ ଠାକୁର ଦର୍ଶନ କରିବା, ଯାନବାହନ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ଓ କୋଭିଡ ନିୟମ ସମ୍ବନ୍ଧରେ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ବ୍ୟତୀତ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି, କାଲିମେଳା ବ୍ଲକ୍ ଅଧ୍ୟକ୍ଷ ମାଲା ମାଢ଼ୀ ମଧ୍ୟ ପୋଲେରୁ ଘାଟ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ଜିଲ୍ଲାପାଳ ଡ. ବିଜୟଙ୍କ ସହ ମାଲକାନଗିରି ତହସିଲଦାର ଗୁଣନିଧି ନାୟକ, କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମା ଶଙ୍କର ଦଳାଇ, କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ପ୍ରମୁଖ ପୋଲେରୁ ଓ ମାନ୍ୟମକୋଣ୍ଡା ଠାକୁରଙ୍କ ପୂଜା ସ୍ଥଳରେ ପହଞ୍ଚି ପୂଜକ, ସେବାୟତ, ଗ୍ରାମବାସୀ ଏବଂ ଦାୟିତ୍ୱରେ ଥିବା ବିଭିନ୍ନ ପଦାଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। କୋଭିଡ-୧୯ ନିୟମର ଯେଭଳି ଖିଲାପ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଡ. ବିଜୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।