ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ଶ୍ରୀଗୁଣୀ ଗାଁ ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଫିରିଙ୍ଗିଆ ବ୍ଲକ ପଲାବୃଡ଼ି ପଞ୍ଚାୟତସ୍ଥିତ ଶ୍ରୀଗୁଣୀ ଗାଁର ପ୍ରଫୁଲ୍ଲ ପଣ୍ଡାଙ୍କ ପୁଅ ମନୋଜ ପଣ୍ଡା (୩୧) । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସ୍କୁଟି ଆରୋହୀଙ୍କୁ ଦୁର୍ଘଟଣା ଘଟାଇଥିବା ବୋଲେରୋ ଡ୍ରାଇଭର ଜଣକ ଚିକିତ୍ସା ପାଇଁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣୁଥିଲେ । ହେଲେ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଦୁର୍ଘଟଣା ଘଟାଇଥିବା ବୋଲେରୋଟି ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋବାଇଲ ମେଡିକାଲ ଟିମର ବୋଲି ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ମୃତକଙ୍କ ପ୍ରକୃତ ଘର ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ପରିବାର ଶ୍ରୀଗୁଣୀ ଗାଁରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଏକ ଦୋକାନ କରି ବ୍ୟବସାୟ କରି ଆସୁଥିଲେ । ମୃତ ସ୍କୁଟି ଆରୋହୀ ଜଣକ ନିଜ ଦୋକାନ ସାମଗ୍ରୀ କିଣିବା ପାଇଁ ଫିରିଙ୍ଗିଆ ସାପ୍ତାହିକ ହାଟକୁ ଆସି ଗାଁ ଶ୍ରୀଗୁଣୀକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ମେଡିକାଲର ଏହି ମୋବାଇଲ ହେଲଥ ଟିମର ବୋଲେରୋ ରୋଗୀଙ୍କୁ ଛାଡ଼ି ଫେରୁଥିଲା । ଏହି ସମୟରେ ମୁସେଲି ପାଙ୍ଗାଠାରୁ ପାଙ୍ଗା ଯାଇଥିବା ମୁଖ୍ୟ ରାସ୍ତାର ଶ୍ରୀଗୁଣୀ ଗାଁ ନିକଟରେ ଥିବା ଘାଟି ବୁଲାଣିରେ ସମ୍ପୃକ୍ତ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଅନ୍ୟପଟେ ମେଡିକାଲରୁ ଖବର ପାଇ ପ୍ରଥମେ ଫିରିଙ୍ଗିଆ ପୁଲିସ ମେଡିକାଲରେ ପହଞ୍ଚିଥିଲା । ପରେ ମୃତ ଯୁବକଙ୍କ ପିତା ପ୍ରଫୁଲ୍ଲ ପଣ୍ଡା ଗୋଛାପଡ଼ା ଥାନାରେ ଏକ ଲିଖିତ ଏତଲା ଦେବା ପରେ ଗୋଛାପଡ଼ା ଥାନାଧିକାରୀ ରଞ୍ଜିତ କୁମାର ମୁନିଙ୍କ ନିର୍ଦ୍ଦେଶକ୍ରମେ ଗୋଛାପଡ଼ା ଥାନାର ଜଣେ ଏସଆଇ ଏବଂ ଜଣେ କନେଷ୍ଟବଳ ଫିରିଙ୍ଗିଆ ମେଡିକାଲରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଥିଲେ । ଏହି ଘଟଣାକୁ ନେଇ ଗୋଛାପଡ଼ା ଥାନାରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜବତ କରିବା ସହ ବୋଲେରୋ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଥିବା ଗୋଛାପଡ଼ା ଥାନାଧିକାରୀ ରଞ୍ଜିତ କୁମାର ମୁନି କହିଛନ୍ତି ।