ବିଭାଗୀୟ ଏସଓପି ପାଳନ ପୂର୍ବକ ଖୋଲିଲା ବିଦ୍ୟାଳୟ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ପ୍ରଥମ ଦଫାରେ ସାରା ରାଜ୍ୟରେ  ଦଶମ ଓ  ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଦେବଗଡ଼ ଜିଲ୍ଲାରେ ମଧ୍ୟ  ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ବିଦ୍ୟାଳୟ ପରିସରକୁ ସଫେଇ କରିବା ସହ ଆସବାବପତ୍ର ଗୁଡ଼ିକ ବିଶୋଧନ କରାଯାଇଛି। ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀମାନେ ଯେପରି ସାମାଜିକ ଦୂରତା ପାଳନ କରିବେ ସେଥିପ୍ରତି ବିଦ୍ୟାଳୟ କର୍ତୃପକ୍ଷ ବିଶେଷ ଧ୍ୟାନ ଦେଉଛନ୍ତି। ବିଦ୍ୟାଳୟକୁ ପ୍ରବେଶ ପରେ ଛାତ୍ରଛାତ୍ରୀଙ୍କ ହାତ ଧୋଇବା ସହ ମାକ୍ସ ପରିଧାନକୁ ଗୁରୁତ୍ୱ ଦିଆଯାଇ କ୍ଲାସରୁମରେ ସାମାଜିକ ଦୂରତା ପାଳନ ପୂର୍ବକ ପାଠପଢ଼ାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ବିଦ୍ୟାଳୟକୁ ଆସିଥିବାରୁ ବିଦ୍ୟାର୍ଥୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ସରକାରଙ୍କ ଏସଓପି ଆଧାରରେ ବିଦ୍ୟାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ଛାତ୍ରୀଙ୍କ ସୁରକ୍ଷା ପ୍ରତି ସବୁ ପ୍ରକାର ଧ୍ୟାନ ଦିଆଯାଇଥିବା କଥା ଦେବଗଡ଼ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଅର୍ଚ୍ଚନା ପାତ୍ର ପ୍ରକାଶ କରିଛନ୍ତି।

ସେହିପରି ଜିଲ୍ଲାର ମୋଟ ୯୦ଟି ହାଇସ୍କୁଲରେ ଥିବା ମୋଟ ୪ହଜାର ୪୦୪ଜଣ ଶିକ୍ଷାର୍ଥୀଙ୍କ ଦଶମ ଶ୍ରେଣୀ ପାଇଁ ଶିକ୍ଷାଦାନ ଆଜି ଆରମ୍ଭ ହୋଇଥିବାବେଳେ ୪ଟି ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପାଇଁ ଖୋଲାଯାଇ ପାରିନାହିଁ। ଖୋଲାଯାଇଥିବା ବିଭିନ୍ନ ସ୍ଥାନର ବିଦ୍ୟାଳୟ ଗୁଡ଼ିକରେ ୫୦ରୁ ୫୫ପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ରହିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ସୂଚନା ଦେଇଛନ୍ତି। ସେହିପରି ଖୋଲାଯାଇଥିବା ବିଦ୍ୟାଳୟ ଗୁଡ଼ିକରେ ବିଭାଗୀୟ ଏସଓପି ପାଳନର ତଦାରଖ ପାଇଁ ଜିଲ୍ଲା ଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହ ବ୍ଲକ ଶିକ୍ଷାଅଧିକାରୀ ଓ ସିଆରସିସିଙ୍କୁ ନିୟୋଜିତ କରାଯାଇଥିବା ଜିଲ୍ଲାଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।