ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ସୁପ୍ରିମକକୋର୍ଟ ଆଜି ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଉପରେ ୧ ଟଙ୍କା ଜୋରିମାନାର ଦଣ୍ଡ ଶୁଣାଇଛନ୍ତି। ସୁପ୍ରିମକୋର୍ଟର ଫଇସଲା ଅନୁସାରେ ପ୍ରଶାନ୍ତଙ୍କୁ ସେପ୍ଟେମ୍ବର ୧୫ ସୁଦ୍ଧା ୧ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଆଉ ଯଦି ସେ ଜୋରିମାନା ଜମା ନକରନ୍ତି ତେବେ ତାଙ୍କୁ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହିତ ୩ ବର୍ଷ ଓକିଲାତି କରିପାରିବେ ନାହିଁ।

ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଏହି ଫଇସଲା ଶୁଣାଇଛନ୍ତି। ଅଦାଲତ ଅବମାନନା ଅଧୀନିୟମ ଅନ୍ତର୍ଗତ ପ୍ରଶାନ୍ତଙ୍କୁ ୬ ମାସ ଜେଲ, ୨ହଜାର ଟଙ୍କା ଜୋରିମାନା କିମ୍ବା ଉଭୟ ହୋଇପାରିଥାନ୍ତା। କିନ୍ତୁ ଅଦାଲତ ତାଙ୍କ ଉପରେ ଦଣ୍ଡ ଆକାରରେ ମାତ୍ର ୧ ଟଙ୍କାର ଜୋରିମାନା ଦାଖଲ କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ବର୍ତ୍ତମାନ ଓ ପୂର୍ବ ମୁଖ୍ୟ ବିଚାରପତିଙ୍କ ବିରୋଧରେ ପ୍ରଶାନ୍ତ ବିବାଦୀୟ ବୟାନ ଦେଇଥିଲେ। ଅଗଷ୍ଟ ୧୪ରେ ଏହି ମାମଲାରେ ପ୍ରଶାନ୍ତଙ୍କ ସ୍ପଷ୍ଟୀକରଣକୁ କୋର୍ଟ ଗ୍ରହଣ ନକରି ଅଦଲାତ ଅବମାନନାର ଦୋଷ ଲଗାଇଥିଲେ। ବିନା ସର୍ତ୍ତରେ କ୍ଷମା ମାଗିବାକୁ ତାଙ୍କୁ ସମୟ ଦିଆଯାଇଥିଲେ ମଧ୍ୟ ସେ କ୍ଷମା ମାଗିନଥିଲେ।