କରୋନାକୁ ହରାଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ଶଶିକଳା

ନୂଆଦିଲ୍ଲୀ: ଏଆଇଏଡିଏମକେରୁ ନିଷ୍କାସିତ ହୋଇଥିବା ନେତା ଶଶିକଳାଙ୍କୁ ବାଙ୍ଗାଲୁରୁସ୍ଥିତ ଭିକ୍ଟୋରିଆ ହସ୍ପିଟାଲରୁ ଛୁଟି ମିଳିଯାଇଛି। କରୋନାରେ ସଂକ୍ରମିତ ହେବା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଜା କାଟୁଥିବା ଶଶିକଳା ୪ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି। ଶଶିକଳାଙ୍କ ପରିବାର ତାଙ୍କୁ ଚେନ୍ନାଇ ନେବାର ଫଇସଲା କରିଥିବା ଏକ ପାରିବାରିକ ସୂତ୍ରରୁ ଜଣାପଡ଼ିଛି।

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଜେ.ଜୟଲଳିତାଙ୍କ ନିକଟତର ହୋଇଥିବା ୬୬ ବର୍ଷୀୟ ଶଶିକଳା ବିଚାରବିଭାଗୀୟ ହାଜତରେ ଥିବା ସମୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜେଲ କର୍ମଚାରୀ ଜାନୁଆରୀ ୨୭ ତାରିଖରେ ତାଙ୍କୁ ଔପଚାରିକ ରୂପେ ଜେଲରୁ ଖଲାସ କରିଥିଲେ।

ସୂଚନାଯୋଗ୍ୟ, ଶଶିକଳା ଜେଲରୁ ମୁକୁଳିବା ସମୟରେ ତାଙ୍କୁ ସ୍ୱାଗତ କରିବା ପାଇଁ ସମର୍ଥକଙ୍କ ଖଚାଖଚ ଭିଡ଼ ଜମିଥିଲା। ସୁରକ୍ଷା ଦୃଷ୍ଟିରୁ ସେହି ସମୟରେ ୩୦୦ରୁ ଅଧିକ ପୁଲିସକର୍ମୀ ଉପସ୍ଥିତ ଥିଲେ। ଶଶିକଳା ଜେଲରୁ ଏମିତ ସମୟରେ ମୁକୁଳିଛନ୍ତି ଯେଉଁ ସମୟରେ ବିଧାନସଭା ନିର୍ବାଚନ ହେବାର ଅଛି।