ଭାରତର ମାନଚିତ୍ର ଭୁଲ ଦର୍ଶାଇଥିବାରୁ କ୍ଷମା ମାଗିଲେ ଥରୁର

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦର ପ୍ରବଳ ଦାବିଦାର ଶଶି ଥରୁର ବିବାଦ ଘେରରେ ଫସି ଯାଇଛନ୍ତି । ଥରୁରଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଘୋଷଣା ପତ୍ରରେ ଭାରତର ମାନଚିତ୍ରକୁ ଭୁଲ ଭାବେ ଦର୍ଶାଯାଇଛି । ଏଥିରେ ଜମ୍ମୁ-କଶ୍ମୀର ଓ ଲଦାଖର କିଛି ଅଞ୍ଚଳକୁ ଭାରତରୁ ଛାଡ଼ି ଦିଆଯାଇଛି । ଏଥିପାଇଁ ସୋସିଆଲ ମିଡିଆରେ ଥରୁରଙ୍କୁ ଖୁବ୍ ଟ୍ରୋଲର ସାମ୍ନା କରିବାକୁ ପଡ଼ିଥିଲା । ପରେ ଥରୁର କ୍ଷମା ମାଗିବା ସହ ତାଙ୍କ ତ୍ରୁଟିକୁ ସଂଶୋଧନ କରି ଭାରତର ମାନଚିତ୍ରକୁ ଠିକ୍ ଭାବେ ଦର୍ଶାଇଛନ୍ତି ।

ଶଶୀ ଥରୁର ଟ୍ୱିଟ୍ କରି କହିଛନ୍ତି ଯେ, କେହି ବି ଏମିତି ଭୁଲ୍ ଜାଣିଶୁଣି କରିନଥାଏ । ସ୍ୱେଚ୍ଛାସେବୀଙ୍କ ଏକ ଛୋଟ ଟିମ୍ ଦ୍ୱାରା ଏପରି ଭୁଲ୍ ହୋଇଛି । ଆମେ ତୁରନ୍ତ ଏଥିରେ ସୁଧାର ଆଣିଛୁ । ଆଉ ବିନା କୌଣସି ସର୍ତ୍ତରେ ଏଥିଲାଗି କ୍ଷମା ପ୍ରାର୍ଥନା କରୁଛି ।
ସୂଚନାଯୋଗ୍ୟ, ଏହା ପ୍ରଥମଥର ନୁହେଁ ଯେତେବେଳେ ଶଶି ଥରୁର ଭାରତର ବିକୃତ ମାନଚିତ୍ର ଉପସ୍ଥାପନ କରିଛନ୍ତି । ଏହାପୂର୍ବରୁ ୨୦୧୯ରେ ଥରୁର ଟ୍ୱିଟରରେ ଭାରତର ବିକୃତ ମାନଚିତ୍ର ପୋଷ୍ଟ କରିଥିଲେ ।