ଏସ୍‌ସିଏସ୍‌ଟିଆର୍‌ଟିଆଇର ୩ଟି ପ୍ରକାଶନ ଉନ୍ମୋଚିତ, ଡ. ଅଖିଳ ବିହାରୀ ଓତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସ୍ଥାନୀୟ ଏସ୍‌ସିଏସ୍‌ଟିଆର୍‌ଟିଆଇ ସମ୍ମିଳନୀ କକ୍ଷରେ ‘ଆଦିବାସୀ’-ଭଲୁ୍ୟମ୍‌ ୬୨, ଇସୁ ୧, ଏମ୍ପରିକାଲ୍‌ ଷ୍ଟଡି କମ୍‌ ଡକୁ୍ୟମେଣ୍ଟେସନ୍‌ ଅନ୍‌ ଫୋକ୍‌ଲୋର ଅଫ୍‌ ଖଡିଆ ଟ୍ରାଇବ୍‌ ଅଫ୍‌ ଓଡ଼ିଶା ଓ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିଉଜ୍‌ଲେଟର ଭଲୁ୍ୟମ୍‌-୧୨, ଇସ୍ୟୁ ୧ ଓ ୨ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

୧୯୬୧ ମସିହାଠାରୁ ‘ଆଦିବାସୀ’ ନାମରେ ଏକ ସ୍ୱତନ୍ତ୍ର ଗବେଷଣାମୂଳକ ଜର୍ଣ୍ଣାଲ ପ୍ରକାଶିତ ହୋଇଆସୁଛି । ଏହି ସଂଖ୍ୟାରେ ମିଲେଟ୍‌ ଓ ଆଦିବାସୀ ସଂପର୍କିତ ଅନେକ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି । ରାଜ୍ୟ ସରକାର ମିଲେଟ୍‌ର ଚାଷକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବା ଏବଂ ୨୦୨୩କୁ ଭାରତ ସରକାର ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବରେ ପାଳନ କରୁଥିବାବେଳେ ଏସ୍‌ସିଏସ୍‌ଟିଆର୍‌ଟିଆଇ ପକ୍ଷରୁ ମିଲେଟ୍‌ ସମ୍ବନ୍ଧରେ ପ୍ରକାଶିତ ପୁସ୍ତିକାରେ ଜନଜାତି ଓ ମିଲେଟ୍‌ର ସାଂସ୍କୃତିକ ସଂପର୍କରେ ଅନେକ ତଥ୍ୟ ସନ୍ନିବେସିତ ହୋଇଛି ବୋଲି ନିର୍ଦ୍ଦେଶକ ଡ. ଓତା କହିଛନ୍ତି ।

ସେହିପରି ଖଡ଼ିଆ ଜନଜାତିଙ୍କ ଉପରେ ଏକ ତଥ୍ୟମୂଳକ ପୁସ୍ତକକୁ ଡ. ଏ.ବି. ଓତା ଉନ୍ମୋଚିତ କରିଥିଲେ । ଏ.ଟି.ଏଲ୍‌.ସି ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟିରେ ଖଡ଼ିଆ ଜନଜାତିଙ୍କର ଲୋକକଳା, ଲୋକକଥା, ଲୋକସଂଗୀତ, ପୌରାଣିକ କଥା ଆଦି ତଥ୍ୟ ରହିଛି । ଶେଷରେ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିଉଜ୍‌ଲେଟର ଭଲୁ୍ୟମ୍‌-୧୨, ଇସ୍ୟୁ ୧ ଓ ୨ ଉନ୍ମୋଚିତ ହୋଇଛି ।
ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ଆଜି ଅବସର ଗ୍ରହଣ କରିଛନ୍ତି । କର୍ମଚାରୀମାନେ ନିର୍ଦ୍ଦେଶକ ପ୍ରଫେସର (ଡ.) ଓତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଫେସର ଡ. ଓତା ଗତ ୧୬ ବର୍ଷ ଧରି ସଂସ୍ଥାନର ନିର୍ଦ୍ଦେଶକ ଭାବେ ଜନଜାତିଙ୍କ ବିକାଶ ପାଇଁ ନିରନ୍ତର ଭାବେ ନିଜକୁ ଜଡ଼ିତ କରିଆସିଛନ୍ତି ।