ବେଆଇନ ମଦ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ଏୟାରଫିଲ୍ଡ ଥାନା ପୁଲିସ

ଭୁବନେଶ୍ବର,ଏନ୍ଏନ୍ଏସ୍: ଗତକାଲି ଏୟାରଫିଲ୍ଡ ଥାନା ପୁଲିସ ବେଆଇନ ମଦ ବିକ୍ରି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଦୁଇଟି ପୃଥକ ମାମଲା ରୁଜୁ କରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପୁରୀ ଜିଲ୍ଲାର ଗଡ଼ିଶାଗଦା ଅଞ୍ଚଳର ମହେଶ୍ବର ମଲ୍ଲିକ(୩୭) ଥିବା ବେଳେ ଅନ୍ୟଜଣେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଅଞ୍ଚଳର ନିଲୁ ପାତ୍ର(୩୧) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏୟାରଫିଲ୍ଡ ଥାନା ପୁଲିସ ନିଜ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ, ଦୁଇଟି ପୃଥକ ସ୍ଥାନରେ ଚଢଉ କରିଥିଲେ। ଏହି ଚଢଉ ସମୟରେ ପୁଲିସ ବେଆଇନ ମଦ ବିକ୍ରି ମାମଲାରେ ତ୍ରିଲୋଚନ ବିହାର ଅଞ୍ଚଳରେ ରହୁଥିବା ମହେଶ୍ବରକୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୧୭ ଲିଟର ୨୦୦ ମିଲିଲିଟର ଦେଶୀ ମଦ ସହିତ ୧୫,୬୦୦ ଟଙ୍କା ଜବତ କରିଥିଲେ। ସେହିପରି ଅନ୍ୟ ଏକ ଟିମ୍ ବେଆଇନ ଦେଶୀ ମଦ ବିକ୍ରି ସମ୍ପର୍କିତ ସୂଚନା ପାଇ ଆଜାଦନଗର ମଶାଣିରେ ଚଢଉ କରିଥିଲେ। ସେଠାରେ ପୁଲିସ ନିଲୁକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୧୬ ଲିଟର ଦେଶୀ ମଦ ଏବଂ ୫,୨୦୦ ଟଙ୍କା ଜବତ କରିଥିଲେ। ଏୟାରଫିଲ୍ଡ ଥାନାର ଏହି ମିଳିତ ଚଢଉ ଦ୍ଵାରା ୨ ଜଣ ଅଭିଯୁକ୍ତଙ୍କ ନିକଟରୁ ମୋଟ ୩୩ ଲିଟର ୨୦୦ ମିଲିଲିଟର ଦେଶୀ ମଦ ସହିତ ୨୦,୮୦୦/- ଟଙ୍କା ଜବତ କରାଯାଇଛି। ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ ଏହି ବେଆଇନ ଦେଶୀ ମଦ ବିକ୍ରି ନେଇ କୌଣସି ବୈଧ ପ୍ରମାଣ ପତ୍ର ଦେଖାଇ ପାରିନଥିବା ବେଳେ ନିଜ ଦୋଷ ସ୍ଵିକାର କରିଥିଲେ। ତଦନ୍ତ ପରେ ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରଯାଇଛି।