ପାଟଣାଗଡ଼,ଏନ୍ଏନ୍ଏସ୍: ସାବାସ ସରପଞ୍ଚ। କେବଳ ଆମେ କହୁନୁ ପୁରା ଘଟଣା ଜାଣିଲା ପରେ ଆପଣ ବି କହିବେ ସାବାସ ସରପଞ୍ଚ ସାବାସ। ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ଲୁହାସିଂହା ପଞ୍ଚାୟତ ସରପଞ୍ଚ ରଞ୍ଜିତା ସୁନା ସାବାସୀ ପାଇବାକୁ ହକଦାର। ଗତକାଲି ଲୁହାସିଂହା ବାହାଲଭଟଲି ଗ୍ରାମର ୬୦ ବର୍ଷୀୟ ବାବୁଲାଲ ପୁଟେଲଙ୍କ ମୃତ୍ୟୁ ହୋଇଥିଲା। ବାବୁଲାଲ ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ କରିଥିବାରୁ ତାଙ୍କୁ ପରିବାରର ଓ ଜାତିରୁ ବାସନ୍ଦ କରିଦିଆଯାଇଥିଲା। ମୃତ୍ୟୁ ପରେ ବି କେହି ତାଙ୍କ ଶବକୁ ଛୁଇଁନଥିଲେ। ଏହି ଘଟଣା ସମ୍ପର୍କରେ ସରପଞ୍ଚ ରଞ୍ଜିତା ସୁନା ଜାଣିବା ପରେ ସଙ୍ଗେ ସଙ୍ଗେ ବାବୁଲାରର ବିଧବା ସ୍ତ୍ରୀ, ଝିଅ ଓ ପୁଅଙ୍କ ସହ ମିଶି ଶବକୁ ଚାରିକାନ୍ଧ ଦେଇଥିଲେ।
ମଶାଣିରେ ଗାତ ଖୋଲି ଶବ ସତ୍କାର କରିଥିଲେ ସରପଞ୍ଚ ମ୍ୟାଡମ। ସାଧାରଣତଃ ମହିଳା ମାନେ ମଶାଣିକୁ ଶବ ସତ୍କାର ପାଇ ଯାଆନ୍ତି ନାହିଁ। କିନ୍ତୁ ସରପଞ୍ଚ ମ୍ୟାଡମଙ୍କ ମାନବିକତା ଆଗରେ ହାର ମାନିଥିଲା ଜାତିପ୍ରଥା ଓ ପରମ୍ପରା। ଲୋକଙ୍କ ଦ୍ୱାରା ନିର୍ବାଚିତ ହେବା ପରେ ଲୋକଙ୍କ ସୁଖଦୁଖଃରେ ସାଥି ହେବାକୁ ନିଜର କର୍ତ୍ତବ୍ୟ ଭାବି ଏଭଳି ମହାନ କାମ କରିଛନ୍ତି ସରପଞ୍ଚ। ଏଥିସହ ମୃତକ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି।