କାଶୀପୁରରେ ପୁଣି ଜନନୀ ଯନ୍ତ୍ରଣା, ୨ କି.ମି. ଷ୍ଟ୍ରେଚେର ବୋହିଲେ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ସରକାରଙ୍କ ଯୋଜନା ଅପହଞ୍ଚ ଇଲାକାର ପରିଚୟ ନେବାକୁ ଯାଉଛି। ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ରାସ୍ତାଘାଟ ଭଳି ମୌଳିକ ସୁବିଧା ପହଞ୍ଚିପାରୁ ନ।ହିଁ। କେଉଁଠି ରାସ୍ତା ସମସ୍ୟା ତ ଆଉ କେଉଁଠି ଯୋଜନାର ଅଭାବ। ସାଧାରଣ ଲୋକଟିଏ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି।

ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ବାରମ୍ବାର ଜନନୀ ଯନ୍ତ୍ରଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ଆଜି କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ ଅନ୍ତର୍ଗତ କରନିଖାଲ ଗ୍ରାମର ଡୁମେଙ୍ଗ ମାଝୀଙ୍କ ସ୍ତ୍ରୀ ଗୌରି ମାଝୀ (୨୮) ପ୍ରସବ ବେଦନାରେ ଛଟପଟ ହେଉଥିଲେ। ଏନେଇ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ତେବେ ଗାଁ’କୁ ସବୁଦିନିଆ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରିନଥିଲା।

ଫଳରେ ଆମ୍ବୁଲାନ୍ସଟି ଗ୍ରାମ ଠାରୁ ପ୍ରାୟ ୨ କି.ମି ଦୂରରେ ଅଟକି ରହିଥିଲା। ୧୦୨ ଆମ୍ବୁଲେନ୍ସ ଚାଳକ ପରୀକ୍ଷିତ ନାଏକଙ୍କ ସହ ଅନ୍ୟ ଏକ ଚାଳକ କୌଳାଶ ଚନ୍ଦ୍ର ନିମାଲ, ଆଶା ଦିଦିଙ୍କ ସହ ପରିବାର ସଦସ୍ୟାଙ୍କ ଉଦ୍ୟମରେ ୨ କିମି ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ନଦୀ ନାଳ ଡେଇଁ ପାହାଡିଆ ରାସ୍ତା ପାର କରି ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ପ୍ରଥମେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ମା ଘରେ ଭର୍ତ୍ତି କରାଯାଇଥିଲା।