ପାଟଣା,ଏନ୍ଏନ୍ଏସ୍: କରୋନାରେ ଆକ୍ରାନ୍ତ ହୋଇ ଜଣେ ସରପଞ୍ଚଙ୍କ ଜୀବନ ଚାଲିଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ କେନ୍ଦେଇପଶି ପଞ୍ଚାୟତର ସରପଞ୍ଚ ନିତ୍ୟାନନ୍ଦ ମହାପାତ୍ରଙ୍କ ଆଜି ଅପରାହ୍ଣ ୩ଟା ୪୫ରେ ରାଙ୍କି ସ୍ଥିତ କୋଭିଡ ହସ୍ପିଟାଲରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଆଜି ଭୋରରେ ଶ୍ରୀ ମହାପାତ୍ର ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ପାଟଣା ମେଡିକାଲକୁ ନେଇଥିଲେ। ସେଠାରେ ଦେହର ଅମ୍ଳଜାନ ସ୍ତର କମ ଥିବାରୁ କୋଭିଡ ଟେଷ୍ଟ କରାଯାଇଥିଲା। ରିପୋର୍ଟ ପିଜିଟିଭ ଆସିବାରୁ ତାଙ୍କୁ କେନ୍ଦୁଝର ରାଙ୍କି ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବରପାଇ ପାଟଣା ବ୍ଲକର ବିଭିନ୍ନ କାର୍ଯ୍ୟାଳୟ ସହ କେନ୍ଦେଇପଶି, ମହିଷାମୁଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଶ୍ରୀ ମହାପାତ୍ର ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ଭାବରେ ନିର୍ବାଚିତ ହେବା ସହ ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ ନେତା ଥିଲେ। ତାଙ୍କ ବିୟୋଗରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ବିଡ଼ିଓ ଇଶ୍ୱର ଚନ୍ଦ୍ର ନାଏକ, ପାଟଣା ବ୍ଲକର ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ, ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୋଭାଶ୍ରୀ ସେଠୀ, ସମିତିସଭ୍ୟ ମିତ୍ରଭାନୁ ମହାନ୍ତ, ଖିରେଇଟାଙ୍ଗିରୀ ସରପଞ୍ଚ ବୋନଜ ନାଏକ, ମୂଷାଖୋରି ସରପଞ୍ଚ ଭମାମଣୀ ଦାସ, ଚିନାମାଳି ସରପଞ୍ଚ କନକ ଲତା ନାଏକଙ୍କ ସେମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।