ଗୃହ କମିଟିକୁ ସଂସାରୀଟିକ୍ରାବାସୀଙ୍କ ଦାବିପତ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଜି ରାଜ୍ୟ ଗୃହ କମିଟି ଝାରସୁଗୁଡ଼ା ଗସ୍ତରେ ଆସିଥିବାବେଳେ ସଂସାରୀଟିକ୍ରା ଗ୍ରାମବାସୀ ଗୃହ କମିଟିର ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତିଲିଆ ମୌଜାଠାରେ ନିର୍ମାଣ ହେଉଥିବା ଓପିଜିସିର ପାଉଁଶ ପୋଖରୀରୁ ସଂସାରୀଟୀକ୍ରା ଗ୍ରାମର ଖୁବ୍ ନିକଟତର। ତେଣୁ ଏହି ପାଉଁଶ ପୋଖରୀ ଯୋଗୁ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ପରିବେଶ ପ୍ରଦୂଷିତ ହେବାସହ ସେମାନେ ବହୁ ରୋଗ ବ୍ୟାଧିର ଶୀକାର ହେଉଛନ୍ତି। ସେହିପରି ଗ୍ରାମର ଚାଷ ଜମି, ପୋଖରୀ ପାଣି ଆଦି ପ୍ରଦୂଷିତ ହୋଇସାରିଲାଣି। ଏହାକୁ ବିରୋଧ କରି ଗ୍ରାମବାସୀମାନେ ସେମାନଙ୍କୁ କ୍ଷତିପୂରଣ ଦେଇ ବିସ୍ଥାପିତ କରାଯାଉ ବୋଲି ବହୁଥର ଆନ୍ଦୋଳନ କରିଥିଲେ ହେଁ ଓପିଜିସି କର୍ତୃପକ୍ଷ ଏବଂ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ କେବଳ ପ୍ରତିଶ୍ରୁତି ଦେଇ ଏହାକୁ ପୂରଣ କରିବାର ନା ନେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ଓ ଓପିଜିସି କର୍ତୃପକ୍ଷଙ୍କ ଏପରି ଅବହେଳା ଯୋଗୁ ସଂସାରୀଟୀକ୍ରା ଗ୍ରାମବାସୀ ବହୁ ଦୁଃଖ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ତେଣୁ ଗୃହ କମିଟି ଏହି ସମସ୍ୟାର ସମାଧାନ ପାଇଁ ସଂସାରୀଟୀକ୍ରା ଗ୍ରାମବାସୀଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରାଇ ବିସ୍ଥାପିତ କରିବା ପାଇଁ ଶୀଘ୍ର ପଦକ୍ଷେପ ଗ୍ରହଣ କରୁ ଅନ୍ୟଥା ସେମାନେ ଆମରଣ ଅନଶନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।