ମାଲକାନଗିରିରେ ସାଂସଦଙ୍କ ଦ୍ୱାରା ଇକୋ କଟେଜ ଓ ରେଷ୍ଟୁରାଣ୍ଟ ଉଦଘାଟିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସତୀଗୁଡ଼ା ଇକୋ ପର୍ଯ୍ୟଟନ ସ୍ଥଳୀରେ ଆଜି ଇକୋ କଟେଜ ଓ ଇକୋ ରେଷ୍ଟୁରାଣ୍ଟ ଉଦଘାଟିତ ହୋଇଯାଇଛି। ବନ ବିଭାଗ ଦ୍ୱାରା ନିର୍ମିତ ଏହି ଇକୋ କଟେଜକୁ ସାଂସଦ ରମେଶ ଚନ୍ଦ୍ର ମାଝୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଇକୋ ରେଷ୍ଟୁରାଣ୍ଟକୁ ଜିଲ୍ଲାପାଳ ଡା. ୱାଇ.ବିଜୟ ଉଦଘାଟନ କରିଛନ୍ତି। ଡିଏଫଓ ପ୍ରଦୀପ ଦେବୀଦାସ ମୀରାସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଓ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡ଼କାମି ଯୋଗଦେଇଥିଲେ। ଏହି କର୍ଟେଜ ଓ ରେଷ୍ଟୁରାଣ୍ଟ ଦ୍ୱାରା ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକମାନେ ଉତ୍ତମ ଖାଦ୍ୟ ପାଇବା ସହ ରହିବାର ସୁଯୋଗ ପାଇପାରିବେ। ଏଥିସହିତ ପର୍ଯ୍ୟଟକମାନେ ଏଠାରେ ରହି ପ୍ରାକୃତିକ ପରିବେଶର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ବୋଲି ଉପସ୍ଥିତ ଅତିଥିବୃନ୍ଦ କହିଥିଲେ। ଏଠାରେ ରହିବା ପାଇଁ ଅନଲାଇନରେ ପର୍ଯ୍ୟଟକଙ୍କୁ ବୁକିଂ କରିବାକୁ ପଡ଼ିବ ଓ ଏଥିପାଇଁ ଦୈନିକ ୨୫୦୦ ଟଙ୍କା ମୂଲ୍ୟ ରଖାଯାଇଛି।