ଆଳି ଦମକଳ କେନ୍ଦ୍ର ପକ୍ଷରୁ ସାନିଟାଇଜ୍

ଆଳି,ଏନ୍ଏନ୍ଏସ୍: ସମଗ୍ର ଦେଶରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଚାଲିଛି। କରୋନାକୁ ମୁକାବିଲା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀଙ୍କୁ ଘରୁ ନ ବାହାରିବାକୁ ନିବେଦନ କରିଛନ୍ତି। ଏଥି ସହିତ ସମଗ୍ର ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି।

ଏହି ଅବସରରେ ଆଜି ଆଳି ଦମକଳ କେନ୍ଦ୍ର ପକ୍ଷରୁ ଅଞ୍ଚଳରେ ସାନିଟାଇଜ କରାଯାଇଛି। ଦମକଳ ବିଭାଗ ପକ୍ଷରୁ ଆଳି ଥାନା, ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସମ୍ପୂର୍ଣ ଭାବେ ସାନିଟାଈଜ କରାଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରର ମାତୃଶଦନ ଗୃହ, ଆଉଟଡୋର, ଡ୍ରେସିଂ ରୁମ, ଏକ୍ସରେ ରୁମ, ରୋଗୀ ରହୁଥିବା ୱାର୍ଡ, ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟ ସହିତ ଡାକ୍ତରଙ୍କ କ୍ଵାଟରକୁ ସାନିଟାଇଜ କରାଯାଇଥିବା ଆଳି ଦମକଳ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ନାୟକ ସୂଚନା ଦେଇଛନ୍ତି। ଏଥି ସହିତ ଶ୍ରୀ ନାୟକ କହିଛନ୍ତି ଯେ ଏହି ସବୁ ସ୍ଥାନକୁ ଦୈନିକ ଶହଶହ ଲୋକ ଆସୁଥିବାରୁ ଏହାକୁ ବିଭାଗ ପକ୍ଷରୁ ସାନିଟାଇଜ କରାଯାଉଛି।

ଆଗାମୀ ଦିନରେ ଆଳି ବ୍ଲକ୍ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କୋର୍ଟ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ସ୍ଥାନକୁ ସାନିଟାଇଜ କରାଯିବ। ପାଣି ସହିତ ସୋଡିୟମ ହାଇପୋକ୍ଲୋରାଇଟ ଲିକ୍ବିଡକୁ ମିଶ୍ରଣ କରି ଏହି ସିଞ୍ଚନ କରାଯିବା ଦ୍ୱାରା ଭୂତାଣୁ ସଂକ୍ରମିତ ହୋଇପାରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।