ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ପୌରପରିଷଦର ସଫେଇ କର୍ମଚାରୀ ଉପଯୁକ୍ତ ସମୟରେ ଦରମା ପ୍ରଦାନ ଦାବିରେ ଆଜି ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପୌରାଞ୍ଚଳକୁ ସଫାସୁତୁରା ରଖିବାରେ ସଫେଇ କର୍ମଚାରୀ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ ବାରମ୍ବାର ଦାବି ସତ୍ୱେ ସଠିକ ସମୟରେ ଦରମା ପ୍ରଦାନ କରାଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ମାସ ଆରମ୍ଭରେ ଦରମା ପ୍ରଦାନ କରାଯିବା ପରିବର୍ତ୍ତେ ମାସ ଶେଷରେ ପ୍ରଦାନ କରାଯାଉଥିବାରୁ ପରିବାର ପ୍ରତିପୋଷଣରେ ସେମାନଙ୍କୁ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ପୌରପରିଷଦ ପକ୍ଷରୁ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ସମସ୍ତ ସଫେଇ କର୍ମଚାରୀଙ୍କୁ ୫ ତାରିଖ ମଧ୍ୟରେ ଦରମା ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ଦୀର୍ଘ ୩ ଘଣ୍ଟାର ଧାରଣା ପରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ। ଏହାସହ ପ୍ରତ୍ୟେକ ମାସର ୧୦ ଦିନ ମଧ୍ୟରେ ସେମାନଙ୍କୁ ଦରାମ ପ୍ରଦାନ ପାଇଁ ପୌରପରିଷଦ ପଦକ୍ଷେପ ଗ୍ରହଣ କରିବ ବୋଲି ପୌର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତି ଦେବା ପରେ ସଫେଇ କର୍ମଚାରୀ ଧାରଣାରୁ ଓହରିଥିଲେ।