ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ସମୀର ୱାଙ୍ଖଡେଙ୍କ ପତ୍ନୀ

ମୁମ୍ବାଇ: ଏନସିବି ଜୋନାଲ ଡାୟରେକ୍ଟର ସମୀର ୱାଙ୍ଖଡେ ଓ ଏନସିପି ନେତା ନୱାବ ମଲ୍ଲିକଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଇତିମଧ୍ୟରେ ଶ୍ରୀ ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତି ରେଡକର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ଲାଗି ଗୁହାରି କରିଛନ୍ତି।

କ୍ରାନ୍ତି ଚିଠିରେ ଲେଖିଛନ୍ତି ଯେ, ମୁଁ ଛତ୍ରପତି ଶିବାଜୀ ମହାରାଜ ଓ ହିନ୍ଦୁ ହୃଦୟ ସମ୍ରାଟ ବାଲସାହେବ ଠାକରେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବଡ଼ ହୋଇଛି। କାହା ସହ ଅନ୍ୟାୟ କରନି ଏବଂ ନିଜ ଉପରେ ହେଉଥିବା ଅନ୍ୟାୟକୁ ସହ୍ୟ କରନି ବୋଲି ଏହି ମହାନ ବ୍ୟକ୍ତିଦ୍ୱୟ ଶିଖାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ମୁଁ ମୋ ବ୍ୟକ୍ତିଗତ ଜୀବନ ଉପରେ ଆକ୍ରମଣ କରୁଥିବା ଲୋକଙ୍କ ବିରୁଦ୍ଧରେ ଏକାକି ଲଢ଼ୁଛି। ସୋସିଆଲ ମିଡିଆରେ ଥିବା ଲୋକ ଖାଲି ମଜା ଉଠାଉଛନ୍ତି। ମୁଁ ଜଣେ କଳାକାର। ରାଜନୀତି ମୋତେ ବୁଝାପଡ଼େନି କି ମୁଁ ସେଥିରେ ପଶିିବା ପାଇଁ ଚାହୁଁନି। ଶିବରାୟା ରାଜ୍ୟରେ ଜଣେ ମହିଳାର ଗରିମା ସହ ଖେଳାଯାଉଛି। ଆପଣ ମୋ ପରିବାର ସହ ଅନ୍ୟାୟ ହେବାକୁ ଦେବେନି ବୋଲି ମୋର ବିଶ୍ୱାସ ରହିଛି।