ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ବାଚନୀ ପ୍ରଚାର

ବାଲେଶ୍ୱର,ଏନଏନଏସ୍‌: ବାଲେଶ୍ୱର ଉପନିର୍ବାଚନ ପାଖେଇ ଆସୁଥିବା ବିଜେପିର ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ଚାଲିଛି । ତେବେ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ଦ୍ଵିତୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ଉଦ୍ଦେଶ୍ୟରେ ପ୍ରଚାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସେ ବୁଧବାର ସକାଳ ସ୍ଥାନୀୟ ଫାଣ୍ଡିଛକରୁ ପଦଯାତ୍ରା ଆରମ୍ଭ କରି ନୂଆ ବଜାର ହୋଇ ଝାଡେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ଏହି ପଦଯାତ୍ରା ସମୟରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ବାଲେଶ୍ୱରର ଅର୍ଥନୈତିକ ବିକାଶ ମୋଦି ସରକାରଙ୍କ ଦ୍ୱାରା ହୋଇଛି । ଜାତୀୟ ରାଜପଥ ୧୬ର ଭଦ୍ରକ ବାଲେଶ୍ୱର ଅଂଶକୁ ଛଅ ଲେନ ବିଶିଷ୍ଟ କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ ହୋଇସାରିଛି । ଏଥିପାଇଁ ୯୯୯ କୋଟି ଟଙ୍କା ଖର୍ଚ ହେବ ।

ବାଲେଶ୍ୱରରେ ଡିଡିଗାଁରେ ଅଶୋଧିତ ତୈଳ ପାଇପ ଲାଇନର ପମ୍ପ ଷ୍ଟେସନ ଏବଂ ୪ଶହ କୋଟି ଟଙ୍କା ବିନିଯୋଗରେ ୭୧୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ପାରାଦ୍ୱୀପ ହଳଦିଆ ଦୂର୍ଗାପୁର ଏଲପିଜି ପାଇପ ଲାଇନଡେଲିଭରି ଷ୍ଟେସନ ବାଲେଶ୍ୱର ଠାରେ ସ୍ଥାପିତ ହୋଇଥିବାରୁ ତାହା ସେ ଅଂଚଳରେ ଅର୍ଥନୈତିକ ବିକାଶରେ ସହାୟକ ହେବ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି । ଏହା ସହିତ ବାଲେଶ୍ୱର ଏଲପିଜି ପ୍ଲାଣ୍ଟର କ୍ଷମତା ବୃଦ୍ଧି ହୋଇଛି । ଘରମାନଙ୍କୁ ସିଧାସଳଖ ପାଇପ ଯୋଗେ ଇନ୍ଧନ ଗ୍ୟାସ ଯୋଗାଣ ପାଇଁ ସିଟି ଗ୍ୟାସ ବିତରଣ ବ୍ୟବସ୍ଥା ମଧ୍ୟ ହାତକୁ ନିଆଯାଇଛି । ଏହି ବ୍ୟବସ୍ଥାରେ ଉପକୃତ ହେବାକୁ ଯାଉଥିବା ୧୭ଟି ଜିଲ୍ଲା ମଧ୍ୟରୁ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଗ୍ୟାସ ଉପଭୋକ୍ତା ଉପକୃତ ହୋଇପାରିବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ପର୍ଶୁୁରାମ ବେହେରା, ସୀତାକାନ୍ତ ସ୍ୱାଇଁ, ସିପ୍ରା ବାଜପେୟୀ, ପର୍ଶୁରାମ ବେହେରା, ସରିତା ଗିରି ପ୍ରମୁଖଙ୍କ ସହ ଅନ୍ୟମାନେ ସାମିଲ ଥିଲେ ।