କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ସମ୍ବିତ ପାତ୍ର

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଘଟଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ୍ ପାତ୍ର ଦିଲ୍ଲୀଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ ଭେଟି ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଡ. ପାତ୍ର କିପରି ତଞ୍ଚକତା କରି ଏହି ଜମିକୁ ପ୍ଲଟିଂ କରି ବିକ୍ରି କରିଛନ୍ତି ସେନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ଉକ୍ତ ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ବିଚାର କରି ଯଥାଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ଡ. ପାତ୍ର ନିଜ ଅଭିଯୋଗରେ କହିଛନ୍ତି ଯେ ବହୁ ଚର୍ଚ୍ଚିତ ପୁରୀ ବଗଲା ଧର୍ମଶାଳା ମାମଲାଟି ବର୍ତ୍ତମାନ ହାଇକୋର୍ଟଙ୍କ ବିଚାରାଧୀନ ଅଛି। ମାତ୍ର ରାଜ୍ୟ ସରକାର ବେଆଇନ ଭାବେ କରି ଏହି ଜମିକୁ ବିକ୍ରି କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନା ଅନ୍ତର୍ଗତ ପୁରୀ ତୀର୍ଥସ୍ଥାନର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହ ତୀର୍ଥଯାତ୍ରୀମାନେ ରହିବା ପାଇଁ ଆଇଟିଡିସି ପକ୍ଷରୁ ବଗଲା ଧର୍ମଶାଳାକୁ ୨୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି। ସେହି ସ୍ଥାନରେ ଜଗନ୍ନାଥ ତୀର୍ଥନିବାସ ପାଇଁ ବର୍ତ୍ତମାନ ସୁଦ୍ଧା ୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ମାତ୍ର ରାଜ୍ୟ ସରକାର ରାତାରାତି ଏହି ନିର୍ମାଣ କାର୍ଯ୍ୟକୁ ସ୍ଥଗିତ କରି ଉକ୍ତ ଜମିକୁ ପ୍ଲଟିଂ କରି ବିକ୍ରି କରି ଦେବାର ଷଡ଼୍ୟନ୍ତ୍ର କରିଛନ୍ତି। ତେଣୁ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରାଯାଇ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ଏକ ବିରାଟ ଧର୍ମଶାଳା ନିର୍ମାଣ କରାଯାଉ ବୋଲି ଶ୍ରୀ ପାତ୍ର ପୁଣି ଥରେ ଦାବି କରିଛନ୍ତି।