ବନ୍ୟା ପ୍ରଭାବିତ ଅଞ୍ଚଳରୁ ୩୩୪ ଜଣ ଉଦ୍ଧାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଗ୍ନିଶମ ମହାନିର୍ଦ୍ଦେଶକ ଡ.ସତ୍ୟଜିତ ମହାନ୍ତି ରାଜ୍ୟର ବନ୍ୟା ପରିସ୍ଥିତି ବିଶେଷ କରି ମହାନଦୀରେ ବନ୍ୟାଜଳ ସ୍ଥିତିର ସମୀକ୍ଷା କରିଛନ୍ତି। ଏହାସହ ସମସ୍ତ ଅଗ୍ନିଶମ ବାହିନୀକୁ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ବଣ୍ଟନ ପାଇଁ ରାଜ୍ୟ ଅଗ୍ନିଶମ ବାହିନୀ କଣ୍ଟ୍ରୋଲରୁମ ୨୪ ଘଣ୍ଟା କାର୍ଯ୍ୟ କରୁଥିବା ବିଭାଗ ପକ୍ଷରୁ କୁହାଯାଇଛି।  ରାଜ୍ୟର ନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ଉଗ୍ର ହେବାରେ ଲାଗିଛି। ଏହି ପରିସ୍ଥିତିରେ ବନ୍ୟା ଜଳରେ ଫସି ରହିଥିବା ଲୋକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶୁକ୍ରବାର ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳରୁ ୩୩୪ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏନେଇ ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ଶୁକ୍ରବାର କଟକ ଜିଲ୍ଲା କହ୍ନେଇପୁରର ବନ୍ୟା ପ୍ରଭାବିତ ଅଞ୍ଚଳରୁ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର ଏକ ଟିମ୍ ପାୱାରବୋଟ୍ ସାହାଯ୍ୟରେ ୧୩ଜଣଙ୍କୁ ଉଦ୍ଧାର କରିଛନ୍ତି। ସେହିପରି ଭଦ୍ରକ ଜିଲ୍ଲା ଅର୍ଜୁନପୁର ଅଞ୍ଚଳରୁ ଧାମନଗର ଅଗ୍ନିଶମ ବାହିନୀର ଏକ ଟିମ୍ ବନ୍ୟା ଜଳରେ ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଛନ୍ତି।
ଯାଜପୁର ଜିଲ୍ଲା ବରୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଶଙ୍କରପୁରରୁ ବରୀ ଅଗ୍ନିଶମ ବାହିନୀର ଏକ ଟିମ୍ ଗୋଟିଏ ନବଜାତ ଶିଶୁ ସହିତ ୬ଜଣଙ୍କୁ ଉଦ୍ଧାର କରିଛନ୍ତି। ବଡ଼ଚଣା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରୁ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର ୨ଟି ପାୱାର ବୋଟ୍ ସାହାଯ୍ୟରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୮୦ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି।

ବିଞ୍ଝାରପୁର ଅଗ୍ନିଶମ ବାହିନୀର ଏକ ଟିମ୍ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଚନ୍ଦ୍ରାମୁ ଏବଂ ମାଳିପୁର ଅଞ୍ଚଳରୁ ୫ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ। ଦାଶରଥପୁର ଅଗ୍ନିଶମ ବାହିନୀର ଏକ ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳ ଦତ୍ତାପୁର, ଅର୍ଦ୍ଧାଳୁଆ, ନାରାୟଣସାହି, ମଠସାହି ଏବଂ ନାୟକସାହିରୁ ୫ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଏହାସହ ଯାଜପୁର ଅଗ୍ନିଶମ ବାହିନୀର ୨ଟି ଟିମ୍ ନେଳିପୁର ଏବଂ ବେହେରାପାଟଣାରୁ ୯ଜଣଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଛନ୍ତି। ସେହିପରି ରସୁଲପୁର ଅଗ୍ନିଶମ ବାହିନୀର ୩ଟି ଟିମ୍ ବନ୍ୟା ପ୍ରଭାବିତ ସାନଗୋବିନ୍ଦପୁର, ସରିଫାବାଗ ଏବଂ ବନ୍ଧଡିହ ଅଞ୍ଚଳରୁ ୧୧୬ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ।

ରାଜ୍ୟରେ ଭୀଷଣ ବନ୍ୟା ପରିସ୍ଥିତିକୁ ଦେଖି ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଯାଜପୁର ଜିଲ୍ଲାରେ ୭ଟି ଅଗ୍ନିଶମ ବାହିନୀ ଟିମ୍ ପାୱାର ବୋଟ୍ ସହିତ ମୁତୟନ ଅଛନ୍ତି। ଏହାସହ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଜରୁରୀ କାଳିନ ପରିସ୍ଥିତି ପାଇଁ ୭ଟି ଲେଖାଏଁ ଅଗ୍ନିଶମ ବାହିନୀ ଟିମ୍ ମୁତୟନ ଅଛନ୍ତି। ଏଥିସହିତ କେନ୍ଦ୍ରାପଡ଼ା ପାଇଁ ୨ଟି ଅତିରିକ୍ତ ଟିମ୍ ମୁତୟନ ଥିବା ଜଣାପଡ଼ିଛି। ଆବଶ୍ୟକ ସ୍ଥଳେ ଏହି ଟିମ୍ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହେବେ।
ଅନ୍ୟପକ୍ଷରେ ଦକ୍ଷୀଣ ରେଞ୍ଜର ବନ୍ୟା ଅଣପ୍ରଭାବିତ ଅଞ୍ଚଳ ବ୍ରହ୍ମପୁରରେ ୫ଟି ଅଗ୍ନିଶମ ବାହିନୀ ଟିମ୍, ଉତ୍ତର ରେଞ୍ଜରେ ୫ଟି ଟିମ୍ ମୁତୟନ ଅଛନ୍ତି। ସେହିପରି ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁଁ ସମ୍ବଲପୁର, ପୁରୀ ଏବଂ ଜଗତସିଂହପୁରର ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକ ଜିଲ୍ଲା ପ୍ରଶାସନ ସ୍କାନରରେ ଅଛନ୍ତି।