ନିଆରା ଢଙ୍ଗରେ ସମ୍ବଲପୁରୀ ଦିନ ପାଳିତ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ଆଜି ହେଉଛି ସମ୍ବଲପୁରୀ ଦିବସ। ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ସହରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ଶିଶୁଗୃହର ଅନ୍ତେବାସୀମାନଙ୍କୁ ସହରର ପ୍ରିୟଦର୍ଶିନୀ ଫାଉଣ୍ଡେସନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଭଳିକି ଭଳି ସମ୍ବଲପୁରୀ ପୋଷାକ ବଣ୍ଟନ କରି ସମ୍ବଲପୁରୀ ଦିବସ ପାଳନ କରିଛନ୍ତି। ପ୍ରତିବର୍ଷ ଏହି ଶିଶୁଗୃହ ଅନ୍ତେବାସୀଙ୍କୁ ବିଭିନ୍ନ ପର୍ବ ପର୍ବାଣୀରେ ପ୍ରଶାସନ ପକ୍ଷରୁ ପୋଷାକ ବଣ୍ଟନ କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଶିଶୁଗୃହର ଅନ୍ତେବାସୀଙ୍କୁ ସମ୍ବଲପୁରୀ ପୋଷାକ ବଣ୍ଟନ କରିଛନ୍ତି ଏହି ଅନୁଷ୍ଠାନର ମୁଖ୍ୟ ମନୋଜ ବାରିକ। ଫଳରେ ଅନ୍ତେବାସୀମାନେ ବେଶ୍ ଖୁସୀ ଥିବା ଦେଖାଯାଇଛି। ଇଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବସଷ୍ଟାଣ୍ଡ ନିକଟରେ ଥିବା ଶିଶୁ ଗୃହ। ଏଠାରେ ପାଖାପାଖି ୪୧ ଜଣ ଅନାଥ ଶିଶୁ ରହୁଛନ୍ତି। ଏହି ଅନ୍ତେବାସୀମାନଙ୍କ ପାଇଁ ବିଭିନ୍ନ ପର୍ବ ପର୍ବାଣୀରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ପୋଷାକ, ଖାଦ୍ୟ ଆଦି ଦିଆଯାଇଥାଏ। ହେଲେ ଚଳିତ ବର୍ଷ ସମ୍ବଲପୁରୀ ଦିବସ ଅବସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରିୟଦର୍ଶିନୀ ଫାଉଣ୍ଡେସ ପକ୍ଷରୁ ଶିଶୁଗୃହର ଅନ୍ତେବାସୀମାନଙ୍କୁ ଭଳିକି ଭଳି ସମ୍ବଲପୁରୀ ପୋଷାକ ବଣ୍ଟନ କରାଯାଇଛି।

ଅନୁଷ୍ଠାନର ମୁଖ୍ୟ ମନୋଜ ବାରିକଙ୍କ ସହିତ ସ୍ବେଚ୍ଛାସେବୀମାନେ ଶିଶୁଗୃହକୁ ଯାଇ ସମସ୍ତ ଅନ୍ତେବାସୀମାନଙ୍କୁ ନୂତନ ସମ୍ବଲପୁରୀ ପୋଷାକ ବଣ୍ଟନ କରିଛନ୍ତି। ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଆଜି ଭଳି ପବିତ୍ର ଦିନରେ ଅନାଥ ଶିଶୁମାନଙ୍କୁ ପୋଷାକ ବଣ୍ଟନ କରି ବେଶ୍ ଉତ୍ସାହିତ ଥିବା ବେଳେ ଶିଶୁଗୃହର ଅନ୍ତେବାସୀମାନେ ନୂତନ ସମ୍ବଲପୁରୀ ପୋଷାକ ପାଇ ଖୁସୀ ଅନୁଭବ କରିଛନ୍ତି। ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ସାରା ପଶ୍ଚିମ ଓଡିଶା ବାସୀ ସମ୍ବଲପୁରୀ ଦିନ ଭାବେ ପାଳନ କରୁଛନ୍ତି। ସେହିପରି ପ୍ରିୟଦର୍ଶିନୀ ଫାଉଣ୍ଡେସନ ଜିଲ୍ଲା ସଦର ମହକୁମାରେ ଥିବା ଶିଶୁ ଗୃହର ଅନ୍ତେବାସୀମାନଙ୍କୁ ନୂତନ ସମ୍ବଲପୁରୀ ପୋଷାକ ବାଣ୍ଟି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହେଉଥିବା ଏହି ଶିଶୁଗୃହରେ ଜିଲ୍ଲାର ୪୧ ଜଣ ଅନାଥ, ଅସହାୟ ଶିଶୁ ବସବାସ କରୁଛନ୍ତି। ଉଭୟ ବାଳକ, ବାଳିକା ଏହି ଶିଶୁଗୃହରେ ରହି ବିଭିନ୍ନ ଶ୍ରେଣୀରେ ପାଠ ପଢୁଥିବା ବେଳେ ସମ୍ବଲପୁରୀ ଦିବସରେ ଏମାନଙ୍କ ଖୁସୀ ପାଇଁ ସମ୍ବଲପୁରୀ ପୋଷାକ ବଣ୍ଟନ କରିଛନ୍ତି ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ। ସମ୍ବଲପୁରୀ ଦିବସ ଦିନ ଅନ୍ତେବାସୀମାନଙ୍କ ପାଇଁ ନୂତନ ସମ୍ବଲପୁରୀ ପୋଷାକ ଦେଇଥିବାରୁ ଶିଶୁଗୃର ଓ୍ବର୍ଡେନ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି ଅନୁଷ୍ଠାନକୁ ଧନ୍ୟବାଦ ଦେଇଛନ୍ତି।
ଗୁରୁ ସତ୍ୟନାରାୟଣ ବହିଦାର ସୋନପୁରରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କର ଜନ୍ମଦିନରେ ସାରା ପଶ୍ଚିମ ଓଜିଶାରେ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଉଛି। ତେବେ ସୁବର୍ଣ୍ଣପୁରରେ ଭିନ୍ନ ଢଙ୍ଗରେ ଏହି ଦିବସକୁ ପାଳନ କରିଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।