ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପରିବାର ଲୋକଙ୍କ ବିରୋଧ ଯୋଗୁ ବାହା ହୋଇ ପାରୁନଥିବା ଏକ ପ୍ରେମୀ ଯୁଗଳକୁ ଆଜି ଏକାଠି କରିଛି ବନ୍ଧବାହାଲର ସମଲେଶ୍ୱରୀ ମା’ ଘର ଚେରିଟେବୁଲ ଟ୍ରଷ୍ଟ। ବନ୍ଧବାହାଲର ଯୁବକ ଜିତେନ୍ଦ୍ର ବାଗ(୨୨) ଓ ସୁନ୍ଦରଗଡ଼ର ଯୁବତୀ ବିନୋଦିନୀ ଭଏଁସାଲ ଦୁହେଁ ଦୁହିଁଙ୍କୁ ୬ ମାସ ହେବ ଭଲ ପାଉଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଜିତେନ୍ଦ୍ର ବିନୋଦିନୀଙ୍କ ସହ ସମ୍ପର୍କ ମଧ୍ୟ ସ୍ଥାପନ କରିଥିଲେ। ହେଲେ ଉଭୟଙ୍କର ଜାତି ଭିନ୍ନ ହୋଇଥିବାରୁ ପୁଅର ପରିବାର ଲୋକେ ବାହାଘର ପାଇଁ ସ୍ୱିକୃତୀ ଦେଉନଥିଲେ। ତେବେ ଏନେଇ ବିନୋଦିନୀ ନାରୀମାନଙ୍କ ସୁରକ୍ଷା ପାଇଁ ସର୍ବଦା କାର୍ଯ୍ୟ କରୁଥିବା ସମାଜସେବୀ ଅନୁଷ୍ଠାନ ସମଲେଶ୍ୱରୀ ମା’ ଘର ଚେରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ପଦ୍ମିନୀ ସିଂଙ୍କୁ ଅବଗତ କରାଇଥିଲେ। ଏନେଇ ସମଲେଶ୍ୱରୀ ମା’ ଘର ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ବନହରପାଲି ପୁଲିସ ଓ ବନ୍ଧବହାଲ ସରପଂଚଙ୍କୁ ଅବଗତ କରାଯାଇଥିଲା। ପରେ ଉଭୟ ପୁଅ ଝିଅଙ୍କୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ ହୋଇ ସାରିଥିବାବେଳେ ସେମାନେ ବାହା ହେବାକୁ ଇଚ୍ଛୁକ ଥିବାରୁ ଆଜି ବନ୍ଧବାହାଲର ମଙ୍ଗଳା ମନ୍ଦିରରେ ଟ୍ରଷ୍ଟ ପକ୍ଷରୁ ଜିତେନ୍ଦ୍ର ଓ ବିନଦିନୀଙ୍କ ବାହାଘର କରାଯାଇଛି। ଏହି ସମୟରେ ସମଲେଶ୍ୱରୀ ମା’ ଘର ଚେରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ପଦ୍ମିନୀ ସିଂ, ବିଜୟ ଲକ୍ଷ୍ମୀ ଷଡ଼ଙ୍ଗୀ, ପ୍ରଭାସିନୀ ନାୟକ ଓ ମନ୍ଦିରର ପୂଜକ ବିଶ୍ୱନାଥ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।