ପ୍ରଧାନମନ୍ତ୍ରୀଙ୍କ ସହ ବାତ୍ୟା ସମୀକ୍ଷା: ତତ୍କାଳ ରିଲିଫ ପ୍ୟାକେଜ ନ ମାଗି ହୃଦୟ ଜିତିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭୁବନେଶ୍ୱର ପହଞ୍ଚି ବାତ୍ୟା ୟାସରେ ପ୍ରଭାବିତ ହୋଇଥିବା ଅଞ୍ଚଳ ପରିଦର୍ଶନ କରିଥିଲେ। ଏହାପରେ ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବାତ୍ୟାର ସମୀକ୍ଷା କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଓଡ଼ିଶକୁ କେନ୍ଦ୍ର ସରକାର କୌଣସି ତତ୍କାଳ ରିଲିଫ ପ୍ୟାକେଜ ନ ଦେବାକୁ ଟୁଇଟ କରି କହିଥିଲେ। ଏହି ଟୁଇଟଟି ଦେଶବାସୀଙ୍କ ହୃଦୟକୁ ଛୁଇଁ ଯାଇଛି।

ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି କି, ବର୍ତ୍ତମାନ ଦେଶରେ କୋଭିଡ-୧୯ ମହାମାରୀ ଚରମ ସୀମାରେ ପହଞ୍ଚିଛି। ତେଣୁ ଏହି ସମୟରେ କେନ୍ଦ୍ର ସରକାରଙ୍କୁ ଭାର ଦେବା ପାଇଁ ଆମେ କୌଣସି ତୁରନ୍ତ ଆର୍ଥିକ ସହାୟତା ଲୋଡୁ ନାହୁଁ ଏବଂ ସଙ୍କଟକୁ ଦୂର କରିବା ପାଇଁ ଏହାକୁ ନିଜ ସମ୍ବଳ ମାଧ୍ୟମରେ ପରିଚାଳନା କରିବାକୁ ଚାହୁଁଛୁ ବୋଲି କହିଛନ୍ତି।