ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଚୋରମରା ଗାଁ ନିକଟସ୍ଥ ଡୁଙ୍ଗରିରାସ୍ତାରେ ଜଣକୁ ଗଳାକାଟି ହତ୍ୟା କରିବା ଘଟଣାରେ ପୁଲିସ ଆଜି ୪ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡ଼ିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ। ପ୍ରକାଶ ଥାଉକି, ଚୋରମରା ଗାଁର ଗୁରଜ ରଣାଙ୍କ ଝିଅ ରିଙ୍କି ରଣା ଓ ବେଲଗା ଗ୍ରାମର ଆଦିଲ ମହମ୍ମଦଙ୍କ ମଧ୍ୟରେ ଦୀର୍ଘଦିନ ହେବ ପ୍ରେମସମ୍ପର୍କ ଗଢିଉଠିଥିଲା। ଘର ଲୋକେ ଜାଣିବା ପରେ ଏହାକୁ ବାରଣ କରିବାସହ ରିଙ୍କିକୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଗ୍ରାମର ଦାମୋଦର ରଣାଙ୍କ ସହ ବିବାହ କରିଥିଲେ। ତେବେ ପ୍ରେମରେ ବିଫଳ ହେବାପରେ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକାର ବାପାଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲା ଆଦିଲ।
ଏହାପରେ ସାଙ୍ଗମାନଙ୍କସହ ମିଶି ପ୍ରେମିକାର ବାପାଙ୍କୁ ଗଳାକାଟି ହତ୍ୟା କରିଥିଲା। ପୁଲିସ ଉକ୍ତ ଘଟଣାରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଆଦିଲକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ବେଲଗା ଗ୍ରାମର ଧନୀପ ମହମ୍ମଦଙ୍କ ପୁଅ ଆଦିତ ମହମ୍ମଦ, ଧୁବଳେଶ୍ୱର ରଣାଙ୍କ ପୁଅ ସୁଦାମ ରଣା, ଦୁବନ ବିସିଙ୍କ ପୁଅ ଯୁବରାଜ ବିଶି(୨୨), ଗୌରାଙ୍ଗ ଛୁରାଙ୍କ ପୁଅ ରାଜାରାମ ଛୁରାଙ୍କୁ ପୁଲିସ ଗିରଫ କରିଛି। ଅନ୍ୟପଟେ ଆଉ ଜଣେ ଅଭିଯୁକ୍ତ ଫେରା ଥିବା ସୂଚନା ଦେଇଛି ପୁଲିସ। ଅଭିଯୁକ୍ତଙ୍କ ଠାରୁ ଏକ ଛୁରି, ୪ଟି ମୋବାଇଲ ଓ ଗୋଟିଏ ବାଇକ ଜବତ ହୋଇଛି।