ବାଗଜାନ ତୈଳକୂପ ଅଗ୍ନିକାଣ୍ଡ ଘଟଣାସ୍ଥଳ ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର ପ୍ରଧାନ

ଆସାମ,ଏଜେନ୍ସି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ରାଜ୍ୟର ବାଗଜାନରେ ହୋଇଥିବା ତୈଳକୂପ ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିବା ପରେ ଆଜି ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି। ଏଥିସହ ଅଗ୍ନିକାଣ୍ଡ ଘଟଣାରେ ପ୍ରଭାବିତ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିବା ପାଇଁ ବାଗଜାନ ଅଗ୍ନିକାଣ୍ଡ ଘଟଣାସ୍ଥଳକୁ ପରିଦର୍ଶନ କଲି। ଏହି ଗସ୍ତରେ ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ ରାଜ୍ୟର ପରିବହନ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରୀ ସାମିଲ ହୋଇଥିଲେ। ନିଆଁକୁ ଆୟତ କରିବା ଏବଂ ତୈଳକୂପକୁ ବନ୍ଦ କରିବା ପାଇଁ ଚାଲିଥିବା ପରିଚାଳନା କାର୍ଯ୍ୟକୁ ମଧ୍ୟ ଅନୁଧ୍ୟାନ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ ଜରିଆରେ କହିଛନ୍ତି।

ସେହିପରି ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାବିତଙ୍କ ପରିବାରକୁ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସେମାନଙ୍କ ଜୀବନଜୀବିକାକୁ ପୁନଃସ୍ଥାପିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହା ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନ ବାଗଜାନ ଗାଁ ମିଲନଜ୍ୟୋତି ଯୁବ ସଂଘକୁ ଭେଟି ସେମାନଙ୍କ ସହ ବିଚାରବିମର୍ଷ କରିବା ପରେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହୟତା ଦେବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ଉଲ୍ଲେଖନୀୟ ଯେ, ଗତକାଲି ଶ୍ରୀ ପ୍ରଧାନ ଆସାମ ରାଜ୍ୟକୁ ଗସ୍ତ କରିବା ସହ ସେଠାକାର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଏହି ତୈଳକୂପ ଅଗ୍ନିକାଣ୍ଡ ଘଟଣାର ବର୍ତମାନ ସ୍ଥିତି ଉପରେ ସମୀକ୍ଷା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ସେଠାରେ ସ୍ଥିତିକୁ ନିୟନ୍ତ୍ରଣ କରିବା ତଥା କ୍ଷତି ଅଧିକ ନହେବା ପାଇଁ ବିଶେଷଜ୍ଞଙ୍କ ପକ୍ଷରୁ ପରିଚାଳନା କାର୍ଯ୍ୟ ଯୋରସୋରରେ ଚାଲିଛି। କମ୍ପାନୀର ଅଧିକାରୀମାନେ ୨୪ ଘଂଟା କାର୍ଯ୍ୟ କରୁଛନ୍ତି। ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ବୋଲି ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ।