ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚମହାଭୁତରେ ଲୀନ ହେଲେ ସହିଦ ସୁଧୀର

ବାରିପଦା,ଏନ୍ଏନ୍ଏସ୍: ଗତ ୯ତାରିଖରେ ମାଓବାଦୀ ମୁକାବିଲା ନିମନ୍ତେ କମ୍ବିଂ ଅପରେସନରେ ଯାଇଥିବା ଓଡ଼ିଶା ଏସଓଜିର ୨ଜଣ ଯବାନ ସହିଦ ହୋଇଥିଲେ । ମୟୂରଭଞ୍ଜ ଜିଲ୍ଲାରୁ ସହିଦ ହୋଇଥିବା ଯବାନ ସୁଧୀର କୁମାର ଟୁଡୁଙ୍କ ମରଶରୀର ସକାଳ ୯ଟା ୧୫ରେ ଜନ୍ମମାଟି ଶୁଳିଆପଦା ବ୍ଲକ ଅନ୍ତର୍ଗତ ବାଘଡ଼ା ଗ୍ରାମପଞ୍ଚାୟତର ସାନଭଦୁଆ ଗ୍ରାମରେ ପହଞ୍ଚିଥିଲା । ବୀର ସହୀଦ ସୁଧୀର ଟୁଡୁ ଅମର ରହେ ଧ୍ୱନିରେ ଗାଁ ପରିବେଶ ପ୍ରକମ୍ପିତ ହୋଇଥିଲା । ଏହି ଅବସରରେ ରାଜସ୍ୱ ଓ ବିପର୍ୟ୍ୟୟ ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧୀକ୍ଷକ ସ୍ମିଥ ପି ପରମାର, ମୋରଡ଼ା ବିଧାୟକ ରାଜକିଶୋର ଦାସ, ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ସାରସକଣା ବିଧାୟକ ବୁଢ଼ାନ ମୁର୍ମୁଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହିଦ ସୁଧୀରଙ୍କ ପରିବାର ପକ୍ଷରୁ ସାମାଜିକ ପରମ୍ପରା ଓ ବିଧି ବ୍ୟବସ୍ଥା ଅନୁସାରେ ସମସ୍ତ କ୍ରିୟାକର୍ମ ସମାପନ ପରେ ତୋପ ସାଲାମୀ ପ୍ରଦାନ କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମାପନ କରାଯାଇଛି।

ସ୍ୱର୍ଗତ କୁଣ୍ଡିଆ ଟୁଡୁ ଓ ଯମୁନା ଟୁଡୁଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ସହିଦ ସୁଧୀର । ଯୌଥ ପରିବାରରେ ୧୯୯୨ରେ ଜନ୍ମ ନେଇଥିବାବେଳେ କିଛି ବର୍ଷ ପୂର୍ବରୁ ବାପା କୁଣ୍ଡିଆଙ୍କ ମୃତ୍ୟୁ ହୋଇଥିଲା। ଘରର ଏକମାତ୍ର ରୋଜଗାକ୍ଷମ ବ୍ୟକ୍ତି ଭାବରେ ସେ ସମସ୍ତଙ୍କ କଥା ବୁଝିବା ସହ ପରିବାର ବୋଝ ସମ୍ଭାଳି ଥିଲେ। ସୁଧୀର ରଜରେ ଶେଷଥର ପାଇଁ ଗାଁକୁ ଆସିଥିବାବେଳେ ସହିଦ ହେବାର ୨ଦିନ ପୂର୍ବରୁ ଦୁର୍ଗାପୂଜାରେ ଆସିବେ ବୋଲି ଫୋନରେ କହିଥିଲେ ।

ସୂଚନାଯୋଗ୍ୟ, ଓଡିଶା ସରକାରଙ୍କ ପକ୍ଷରୁ ସହିଦଙ୍କ ପରିବାରକୁ ୧୬ଲକ୍ଷ ଟଙ୍କାର ଏକ ଚ୍ୟାକ୍ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ସୁଧୀରଙ୍କ ମା’ଙ୍କୁ ପ୍ରଦାନ କରିଛନ୍ତି। ଏଥିସହିତ ଦେଶ ମାଟି ପାଇଁ ବୀରତ୍ୱ ପ୍ରାପ୍ତି କରିଥିବା ଯୋଗୁ ତାଙ୍କ ବଳୀଦାନ ବିଫଳ ଯିବନାହିଁ ବୋଲି କହିଛନ୍ତି ।