ଜଗତସିଂହପୁର,ଏନ୍ଏନ୍ଏସ୍: ପାରାଦୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ ୱାନ। ଓଡିଶା ପୋଲିସ, ସାମୁଦ୍ରିକ ପୋଲିସ,ଭାରତୀୟ ନୌସେନା, କୋଷ୍ଟଗାର୍ଡ, ସମେତ ସମସ୍ତ ସାମୁଦ୍ରିକ ଥାନାର ମିଳିତ ଉଦ୍ୟମରେ ଏହି ସମରାଭ୍ୟାସ ହେଉଛି।
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତବର୍ଷରେ ସମୁଦ୍ର ଉପକୂଳ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହିତ ହଠାତ କୌଣସି ବାହ୍ୟ ଶତୃଙ୍କୁ ମୁକାବିଲା କରିବା ପାଇଁ ସବୁ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ଆୟୋଜନ ହେଉଛି। ଏହି ସମରାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ପାରାଦୀପ ବନ୍ଦର, ସିଆଇଏସଫ, ଓଡିଶା ପୋଲିସ, ମେରାଇନ ପୋଲିସ, ଗୁଇନ୍ଦା ବିଭାଗ, ଅଗ୍ନିଶମ, ମତ୍ସ୍ୟ ବିଭାଗ, ବନ ବିଭାଗ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରାୟ ୧୩ଟି ବିଭାଗ ଏଥିରେ ସାମିଲ ହୋଇଛନ୍ତି।
ରେଡ ଟିମ ଓ ବ୍ଲୁ ଟିମ ଗଠନ କରାଯିବା ସହିତ ରେଡ ଟିମ ଛଦ୍ମବେଶି ଆତଙ୍କବାଦୀ, ଓ ବ୍ଲୁ ଟିମ ସୁରକ୍ଷା କର୍ମଚାରୀ ଭାବରେ ସ୍ଥଳ ଭାଗରେ ଜଗି ରହିବେ। ଆତଙ୍କବାଦୀ ବେଶରେ ରେଡ ଟିମ ସ୍ଥଳଭାଗରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିବା ସହିତ ପାରାଦ୍ବୀପରେ ରହିଥିବା ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଯଥା ତୈଳବିଶୋଧନାଗାର, ଇଫକୋ, ପିପିଏଲ ଭଳି ସାର କାରଖାନା, ପାରାଦୀପ ବନ୍ଦର ଓ ବିଭିନ୍ନ ଜନଗହଳି ସ୍ଥାନ ମାନଙ୍କରେ ପ୍ରବେଶ କରିବାକୁ ଚେଷ୍ଟା କରିବେ ଏବଂ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ ବ୍ଲୁ ଟିମ। ତେବେ ଦୁଇଦିନ ଧରି ଏହି ସମରାଭ୍ୟାସ କାର୍ଯ୍ୟକ୍ରମ ଚାଲିବ। ଯାହାକୁ ନେଇ ପାରାଦୀପ ବନ୍ଦର ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି।