ଫୁଟବଲ ଚମ୍ପିଆନସିପ୍‌: ଆଜି ଭାରତ-କୁଏତ ଫାଇନାଲ ଫାଇଟ, ନବମ ଟାଇଟଲ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ: ଫୁଟବଲ ପ୍ରେମୀ ପ୍ରସ୍ତୁତ ହୋଇ ଯାଆନ୍ତୁ । ଚିୟରଅଫରେ କମ୍ପିବ ଶ୍ରୀକାନ୍ତୀରବି ଷ୍ଟାଡିୟମ କାରଣ ସାଫ ଫୁଟବଲ ଚମ୍ପିଆନସିପ ଚଳିତ ୧୪ ତମ ସଂସ୍କରଣରେ ଆଜି ଫାଇନାଲ ମ୍ୟାଚ ଖେଳାଯିବ । ଟାଇଟଲ ଟକ୍କରରେ ଭାରତ କୁଏତ ମଧ୍ୟରେ ହେବ ଫାଇଟ । ୮ଥର ସାଫ ଚମ୍ପିଆନ ହୋଇଥିବା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଦଳ କୁଏତକୁ ହରାଇ ନବମ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି । ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ଫାଇନାଲ ମ୍ୟାଚ ।

ଭାରତ ବନାମ କୁଏତ: ଲିଗ ମ୍ୟାଚରେ ଭାରତ ଓ କୁଏତ ମଧ୍ୟରେ ହୋଇଥିବା ମୁକାବିଲା ୧-୧ ଗୋଲରେ ଡ୍ର ହୋଇଥିଲା । ଏହି ଚମ୍ପିଆନସିପରେ କୁଏତ ଅତିଥି ଦଳ ଭାବେ ସାମିଲ ହୋଇଥିଲା । ଫୁଟବଲ ଇତିହାସରେ ପଞ୍ଚମ ଥର କୁଏତକୁ ଭେଟିବାକୁ ଯାଉଛି ଭାରତ । ପୂର୍ବରୁ ଖେଳାଯାଇଥିବା ୪ଟି ମ୍ୟାଚରୁ ଭାରତ ଗୋଟିଏ ଜିତିଥିବା ବେଳେ ଗୋଟିଏରେ ପରାସ୍ତ ହୋଇଥିଲା ଓ ୨ଟି ମ୍ୟାଚ ଡ୍ର ରହିଥିଲା । କୁଏତ ଏକ ଟାଣୁଆ ଦଳ । ଗ୍ରୁପ ପର୍ଯ୍ୟାୟରେ କୁଏତ ବିପକ୍ଷ ମ୍ୟାଚ ୧-୧ରେ ଅମୀମାସିଂତ ରହିଥିଲା । ଦୁଇଦଳ ମଧ୍ୟରେ ଏକ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଆଜି ଫାଇନାଲରେ ମଧ୍ୟ କଡା ଫାଇଟ ହେବ । ଭାରତ ନବମ ଟାଇଟଲ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଘରୋଇ ଦଳକୁ କଡ୍ଡା ଟକ୍କର ଦେବାକୁ ପ୍ରସ୍ତୁତ ରହିଛି କୁଏତ ।

ସାଫ ଚମ୍ପିଆନସିପ ଗ୍ରୁପ-ଏରେ ଭାରତ, କୁଏତ, ପାକିସ୍ତାନ, ଓ ନେପାଳ ରହିଥିଲେ । ଫାଇନାଲ ପାଇଁ ଭାରତ ଓ କୁଏତ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତ ଚତୁର୍ଥ ଥର ପାଇଁ ସାଫ ଚମ୍ପିଆନସିପ ଆୟୋଜନ କରିଛି। ଡିଫେଣ୍ଡିଂ ଚମ୍ପିଆନ ଭାରତ ମୋଟ ୮ ଥର ସାଫ୍‌ ଚମ୍ପିଆନସିପ ଟାଇଟଲ ଜିତିଛି।