ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ରାଜ୍ୟ ଶାସନ ବ୍ୟବସ୍ଥା ନାହିଁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: “ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ ରାଜ୍ୟ ଶାସନ ବ୍ୟବସ୍ଥା ଓ ରାଜ୍ୟ ସରକାର । ଏହି କଠୋର ସତକୁ ଆମ ସମସ୍ତଙ୍କୁ ମାନିବାକୁ ପଡିବ । ଜଣେ ସଚିବ ସ୍ତରର ସରକାରୀ କର୍ମଚାରୀ ଚଞ୍ଚକତା କରି ବିଜେଡି ସଂଗଠନ ଓ ରାଜ୍ୟ ଶାସନ ବ୍ୟବସ୍ଥାକୁ ହାଇଜାକ କରିଛନ୍ତି ।” କେନ୍ଦ୍ରର ଚିଠି ସତ୍ତ୍ବେ ସମ୍ପୃକ୍ତ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବା ନେଇ ଏଭଳି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଦେଶରୁ ଫେରିବା ପରେ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବିରୋଧରେ ସାଂସଦ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

୫-ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ପୁଣିଥରେ ଟାର୍ଗେଟ କରି ଅପରାଜିତା କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି କେନ୍ଦ୍ର ଚିଠି କରିବା ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ଏହି ଘଟଣାରୁ ଦୁଇଟି ପ୍ରମାଣ ମିଳୁଛି । ଗୋଟେ ହେଉଛି, ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣ ରାଜ୍ୟ ଶାସନ ବ୍ୟବସ୍ଥା ଓ ରାଜ୍ୟ ସରକାର ଉପରେ ନାହିଁ । ଏହା ଆମକୁ ମାନିବାକୁ ପଡିବ । ଦ୍ଵିତୀୟ କଥା ହେଉଛି, ଜଣେ ସଚିବ ସ୍ତରର ସରକାରୀ କର୍ମଚାରୀ ଚଞ୍ଚକତା ସହିତ ଦଳୀୟ ସଂଗଠନ ଓ ରାଜ୍ୟ ଶାସନ ବ୍ୟବସ୍ଥାକୁ ହାଇଜାକ କରିଛନ୍ତି । ଏହା ବି ପ୍ରମାଣିତ କରୁଛି । ବିଜୁ ଜନତା ଦଳର ଇତିହାସ ଆମେ ସମସ୍ତେ ପଢିଛୁ । ଅତ୍ୟନ୍ତ ସ୍ବାଭିମାନୀ ବିଜୁ ବାବୁଙ୍କ ନୀତି, ବିଚାରଧାରା, ଆଦର୍ଶକୁ ପାଥେୟ କରି ବିଜୁ ଜନତା ଦଳର ଗଠନ ହୋଇଥିଲା ।

ବହୁ ସ୍ବାଭିମାନୀ ନେତା ଥିଲେ ବିଜୁ ବାବୁ । ଏହି ରାଜନୈତିକ ଦଳ ଗଢିବାରେ ତିନି ଜଣଙ୍କ ପ୍ରମୁଖ ହାତ ରହିଥିଲା । ସ୍ଵର୍ଗତ ନଳିନୀ ମହାନ୍ତି, ସ୍ଵର୍ଗତ ଅଶୋକ ଦାସ ଏବଂ ବରିଷ୍ଠ ନେତା ବିଜୟ ପଟ୍ଟନାୟକଙ୍କ ହାତ ଏହି ଦଳ ଗଢିବାରେ ଥିଲା । ଯେଉଁ ଦଳ ବିଜୁ ବାବୁଙ୍କ ନାଁରେ ଗଠିତ, ନୀତି ଓ ସ୍ବାଭିମାନ ଆଧାରରେ ଗଠିତ, ଏତେ ସ୍ଵଭିମାନୀ ଦଳର ମନ୍ତ୍ରୀ, ସାଂସଦ ଓ ବିଧାୟକ ହାସ୍ୟାସ୍ପଦ ପରିସ୍ଥିତିକୁ ଆସିଯିବେ ୟାଠୁ ବଡ ଦୁଃଖର କଥା ଆଉ କିଛି ନାହିଁ । ବିଜେଡି ରାଜନୈତିକ ଦୃଷ୍ଟିରୁ ଦେବାଳିଆ ହୋଇଥିବା ଦର୍ଶାଉଛି । ସ୍ବାଭିମାନୀ ବିଜୁ ବାବୁଙ୍କ ନାଁରେ ଗଠନ ହୋଇଥିବା ବିଜେଡିର ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ବାଇପାସ କରି ଜଣେ ନିମ୍ନ ପଦସ୍ତ ସଚିବ ସ୍ତରର କର୍ମଚାରୀ କାମ କରୁଛନ୍ତି ।

ସେହିପରି ପ୍ରଶାସନିକ ବ୍ୟବସ୍ଥାର ମୁଖ୍ୟ ଥିବା ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପ୍ରମୁଖ ଶାସନ ସଚିବଙ୍କୁ ଟପି ସବୁ କାମ କରୁଛନ୍ତି । ନିଶ୍ଚିତ ଭାବେ ସମସ୍ତେ ସହମତ ହେବେ ବିଜୁ ବାବୁ ଯେଉଁଠି ବି ଥିବେ ଦୁଃଖ ପ୍ରକାଶ କରୁଥିବେ । ବିଜେଡିରେ ଥିବା ପୁରୁଖା ନେତା ଏହି ବ୍ୟବସ୍ଥାର ସମର୍ଥନ କରୁନାହାନ୍ତି । ନିର୍ଦ୍ଦିଷ୍ଟ କିଛି ନେତା ନିଜର ଓ ପରିବାରର ଟିକେଟ କାଟିବା ଭୟରେ ସମର୍ଥନ କରୁଛନ୍ତି । ରାଜ୍ୟରେ ଏହି ଅସମ୍ବିଧାନିକ କାମକୁ ନେଇ ବିରୋଧର ସ୍ଵର ଉଠୁଛି । ଏହାକୁ ନେଇ ଯଦି କୌଣସି ପଦକ୍ଷେପ ନିଆନଯିବ ତେବେ ଏହା ସ୍ପଷ୍ଟ କରିବ ଯେ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ରାଜ୍ୟ ସରକାର, ରାଜ୍ୟ ଶାସନ ବ୍ୟବସ୍ଥା ଓ ବିଜୁ ଜନତା ଦଳର ସଂଗଠନ ନାହିଁ ।