ନୂଆଦିଲ୍ଲୀ: ସଚ୍ଚିନ ପାଇଲଟଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। ଏଥିସହିତ ତାଙ୍କୁ ପିସିସି ସଭାପତି ପଦରୁ ମଧ୍ୟ ବିଦା କରାଯାଇଛି। ଗତ ଦୁଇ ଦିନ ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ବିଧାୟକ ଦଳର ଦୁଇଥର ବୈଠକ ହୋଇଥିଲେ ମଧ୍ୟ ସଚ୍ଚିନ ଏଥିରେ ଯୋଗ ଦେଇନଥିଲେ। କଂଗ୍ରେସର ଅନେକ ନେତାଙ୍କ ସମେତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ତାଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିିନଥିଲ। ଅନ୍ୟପଟେ ଆଜି ହୋଇଥିବା ବୈଠକରେ ସଚ୍ଚିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୧୦୨ ବିଧାୟକ ଦାବି କରିଥିଲେ। ଏହାର ପରିଣାମସ୍ୱରୂପ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କଂଗ୍ରେସର ମୁଖପାତ୍ର ରଣଦୀପ ସିଂ ସୂର୍ଯ୍ୟେୱାଲା କହିଛନ୍ତି କି, ସଚ୍ଚିନ ଓ ତାଙ୍କ ସାଥୀ ବିଜେପିର ଷଡ଼ଯନ୍ତ୍ରରେ ଫସି ଯାଇଛନ୍ତି। ଏମାନଙ୍କର ରାଜ୍ୟବାସୀ ଚୟନ କରିଥିବା କଂଗ୍ରେସ ସରକାରକୁ ହଟେଇବାର ଚକ୍ରାନ୍ତ ମୋତେ ଖୁବ୍ ଦୁଃଖିତ କରିଛି। ସେଥିପାଇଁ ସଚ୍ଚିନ ପାଇଲଟଙ୍କୁ ତାଙ୍କ ପଦରୁ ଅବ୍ୟାହତି ଦିଆଯାଇଛି। ଆଉ ଗୋବିନ୍ଦ ସିଂଙ୍କୁ ରାଜସ୍ଥାନର ନୂଆ ଅଧ୍ୟକ୍ଷ ପଦ ହସ୍ତାନ୍ତର କରାଯାଇଛି।
ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଓ ଅଧ୍ୟକ୍ଷ ପଦରୁ ହଟିବା ପରେ ସଚ୍ଚିନ ଟ୍ୱିଟ କରି କହିଛନ୍ତି କି, ‘ସତ୍ୟକୁ ଚିନ୍ତାରେ ପକାଯାଇପାରିବ କିନ୍ତୁ ପରାଜିତ କରାଯାଇ ପାରିବ ନାହିଁ।’