ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ବୋଝେଇ ଗାଡ଼ି ରଖିଥିଲେ ସଚ୍ଚିନ୍ ଭାଜେ

ମୁମ୍ବାଇ, ଏଜେନ୍ସି: ଗତ ଫେବୃଆରୀ ୨୫ରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ବାସଭବନ ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ବୋଝେଇ ଗାଡ଼ି ଜବତ ହୋଇଥିଲା। ତେବେ ଏଥିରେ କାହାର ସମ୍ପୃକ୍ତି ରହିଛି, ସେଥିନେଇ ଏନଆଇଏ ପକ୍ଷରୁ ତଦନ୍ତ ଚାଲିଥିଲାବେଳେ ଏବେ ଅମ୍ବାନୀଙ୍କ ସିସିଟିଭି ଫୁଟେଜରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଏହି ବିସ୍ଫୋରକ ବୋଝେଇ ଗାଡ଼ି ରଖାଯିବା ପଛରେ ପୁଲିସ ଇନସପେକ୍ଟର ସଚ୍ଚିନ୍ ଭାଜେଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ସଚ୍ଚିନ୍ ଆତ୍ମଗୋପନ କରିବା ଉଦ୍ଦେଶ୍ୟରେ ନିଜ ମୁଣ୍ଡକୁ ଏକ ବଡ଼ ରୁମାଲରେ ଆଚ୍ଛାଦିତ କରିଥିଲେ ଏବଂ ମାସ୍କ ପରିଧାନ କରିଥିଲେ ବୋଲି ଏହି ଫୁଟେଜରୁ ଜଣାପଡ଼ିଛି। ଗତ ମଙ୍ଗଳବାର ସଚ୍ଚିନ୍ଙ୍କ କ୍ୟାବିନରୁ ଏକ ଲାପଟପ୍ ଏନଆଇଏ ଜବତ କରିଥିଲା। ତେବେ ଏଥିରୁ ସମସ୍ତ ତଥ୍ୟ ଡିଲିଟ୍ ହୋଇଯାଇଛି। ତେବେ ଏହି ଘଟଣାରେ ସଚ୍ଚିନ୍ ଅସଲ କିଙ୍ଗପିନ୍ ବୋଲି ଏନଆଇଏ ସନ୍ଦେହ କରୁଛି।