ମହାମାରୀକୁ ନିୟନ୍ତ୍ରିତ କରିବା ନେଇ ରାଜ୍ୟବାସୀଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଅନେକ ଦେଶ ତଥା ଭାରତର କିଛି ରାଜ୍ୟରେ କରୋନା ପୁଣି ଥରେ ମୁଣ୍ଡ ଟେକୁଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ। ଲକଡାଉନ୍ ଯୁଗକୁ ଆମେ ଫେରିପାରିବୁନି। କିନ୍ତୁ କଡ଼ା ପଦକ୍ଷେପ ଏବଂ ସଚେତନତା ଜରିଆରେ ଭୂତାଣୁ ସଂକ୍ରମଣକୁ ରୋକିବା ନେଇ ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ। କରୋନା ସ୍ଥିତିନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଏକ ବର୍ଷ ଧରି ବିଶ୍ୱ କୋଭିଡ୍‍ ମହାମାରୀ କାରଣରୁ ଏଭଳି ସଂକଟ ଦେଖୁଛି, ଯାହାର କୌଣସି ଉଦାହରଣ ନାହଁ। ବିଶ୍ୱର ପ୍ରତିକାଣରେ ଏହି ଭୂତାଣୁ ପ୍ରବେଶ କରିଥିବା କାରଣରୁ ଏହା ସମସ୍ତଙ୍କ ପାଇଁ ଏକ କଷ୍ଟକର ବର୍ଷ ହୋଇଛି। ପରିବାର ଓ ସମାଜ କେବଳ ସ୍ୱାସ୍ଥ୍ୟ ସଂକଟର ସମ୍ମୁଖୀନ ହୋଇ ନାହାନ୍ତି, ଏହାର ଅର୍ଥନୀତି ଓ ଜୀବିକା ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପଡ଼ିଛି। ଓଡ଼ିଶାରେ ଆମେ ପ୍ରତିବର୍ଷ ବାତ୍ୟା ଭଳି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥାଉ। ଆମ ପ୍ରଶାସନିକ କଳ ଏଭଳି ସଙ୍କଟର ମୁକାବିଲା ପାଇଁ ସବୁବେଳେ ପ୍ରସ୍ତୁତ ଥାଏ।

ଓଡ଼ିଶାବାସୀଙ୍କ ସହଯୋଗ କାରଣରୁ ଆମେ ମହାମାରୀକୁ ନିୟନ୍ତ୍ରିତ କରିବା ଓ କ୍ଷତିକୁ ବହୁତ ସୀମିତ କରିବାରେ ସଫଳ ହୋଇଛୁ। ସଙ୍କଟ କାଳରେ ଆମ ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନିକ ବ୍ୟବସ୍ଥା ଅହରହ କାର୍ଯ୍ୟ କରୁଥିଲେ। ଭ୍ୟାକ୍ସିନ୍‍ ଆସିବା ଦ୍ୱାରା ମହାମାରୀ ଅନ୍ତ ପାଖେଇ ଆସୁଛି ବୋଲି ଆଶା ସୃଷ୍ଟି ହୋଇଛି। ଏତେ ଶୀଘ୍ର ଭ୍ୟାକ୍ସିନ ବିକାଶ କରିଥିବାରୁ ଆମେ ବୈଜ୍ଞାନିକଙ୍କ ପାଖରେ କୃତଜ୍ଞ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଆମ ପାଇଁ ଗର୍ବର ବିଷୟ ଯେ ଭାରତ ଟିକା ତିଆରି କରିବାରେ ସର୍ବାଗ୍ରେ ରହିଛି। ଟିକାକରଣକୁ ଅଧିକ ଜୋର୍ଦାର୍ କରିବା ଲାଗି ଘରୋଇ କ୍ଷେତ୍ରକୁ ଏଥିରେ ସାମିଲ କରିବାର ଆବଶ୍ୟକତା ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶାଳ ଜନସଂଖ୍ୟା କାରଣରୁ ଇମ୍ୟୁନିଟି ପାଇଁ ଅଧିକ ସମୟ ଲାଗିବ। ତେଣୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଆମେ କୋଭିଡ୍‍ ବିରୋଧରେ କେନ୍ଦ୍ର ସରକାରଙ୍କୁ ସବୁ ପ୍ରକାର ସହଯୋଗ ଜାରି ରଖିବୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।