ନୂଆଦିଲ୍ଲୀ: ଭାରତ ଓ ଋଷ ମଧ୍ୟରେ ବନ୍ଧୁତା ୧୯୪୭ ଏପ୍ରିଲ ୧୩ରେ ଆରମ୍ଭ ହୋଇଥିଲା । ସେବେଠୁ ଆଜିପର୍ଯ୍ୟନ୍ତ ଋଷ ସହ ଭାରତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛି । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏଭଳି ସ୍ଥିତିରେ ଅନେକ ଦେଶ ଋଷକୁ ବିରୋଧ କରୁଥିବାବେଳେ ବହୁବାର ଭାରତକୁ ଋଷ ବିରୋଧରେ ଯିବାକୁ ଚାପ ପକାଯାଇଥିଲେ ମଧ୍ୟ ଭାରତ ନିଜ ବନ୍ଧୁତା ବଜାୟ ରଖିଛି । ଭାରତ ଯୁଦ୍ଧକୁ ସମର୍ଥନ କରୁନଥିଲେ ମଧ୍ୟ କଦାପି ଋଷ ବିରୋଧରେ ଯାଇନି । ଋଷ ସହ ଭାରତରେ ଅନେକ କ୍ଷେତ୍ରରେ ସମ୍ବନ୍ଧ ରହିଛି । ଋଷ ପୁଣିଥରେ ବନ୍ଧୁତାକୁ ଦୃଷ୍ଟିରେ ରଖି ତାମିଲନାଡ଼ୁର କୁଡ଼ନକୁଲମ ପରମାଣୁ ଶକ୍ତି ପ୍ଲାଣ୍ଟ ପାଇଁ ଏକ ଖାସ୍ ନ୍ୟୁକ୍ଲିୟର ଇନ୍ଧନ ଦେବାକୁ ଯାଉଛି। ଏନେଇ କେନ୍ଦ୍ର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ପ୍ରଦାନ କରିଛନ୍ତି ।