ରୁଷିଆର ବିଜୟ ଦିବସ ପୂର୍ବରୁ ୟୁକ୍ରେନ୍ ପହଞ୍ଚିଲେ ଆମେରିକୀୟ ପ୍ରଥମ ମହିଳା-କାନାଡା ପ୍ରଧାନମନ୍ତ୍ରୀ

କିଭ୍‌,ଏଜେନ୍ସି: ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଭୀଷଣ ରୂପ ନେଇଛି। ମେ’ ୯ତାରିଖ ବିଜୟ ଦିବସ ପୂର୍ବରୁ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ଆହୁରି ତୀବ୍ର କରିଦେଇଛି। ରୁଷିଆ ବାରମ୍ବାର ଆକ୍ରମଣ କରୁଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପତ୍ନୀ ଜିଲ ବାଇଡେନ୍ ଓ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ରବିବାର ଅଚାନକ ୟୁକ୍ରେନ୍ ପହଞ୍ଚିଛନ୍ତି। ଆମେରିକୀୟ ପ୍ରଥମ ମହିଳା ଜିଲ ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ପତ୍ନୀ ଓଲେନା ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି।

ହ୍ୱାଇଟ୍ ହାଉସ୍ ଜିଲଙ୍କ ବାଇଡେନ୍‌ଙ୍କ ଏହି ଗସ୍ତ ଅଚାନକ ହୋଇଥିବା କହିଛି। ହ୍ୱାଇଟ୍ ହାଉସ ଅନୁସାରେ ଜିଲ ବାଇଡେନ୍‌ଙ୍କ ୟୁକ୍ରେନ୍ ଯିବାର କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ନଥିଲା। ଜିଲ ବାଇଡେନ୍ ପଶ୍ଚିମ ୟୁକ୍ରେନ୍‌ର ସ୍ଲୋଭାକିଆ ସୀମାରେ ନିକଟରେ ଥିବା ଏକ ଗାଁ ଉଜହୋରୋଡରେ ପହଞ୍ଚି, ସେଠାକାର ଏକ ସ୍କୁଲରେ ଓଲେନା ଜେଲେନ୍‌ସ୍କିଙ୍କ ସହିତ କଥା ହୋଇଥିଲେ। ଆମେରିକା ଓ ୟୁକ୍ରେନ୍‌ର ପ୍ରଥମ ମହିଳାଙ୍କ ମଧ୍ୟରେ ମଦର୍ସ ଡେ’ ଦିନ ହୋଇଥିବା ଏହି ସାକ୍ଷତ ହୋଇଥିଲା। ଜିଲ ବାଇଡେନ କହିଥିଲେ ଯେ, ମୁଁ ମଦର୍ସ ଡେ’ ଅବସରରେ ଏଠାକୁ ଆସିବାକୁ ଚାହୁଁଥିଲି।

ଯେଉଁ ସ୍କୁଲରେ ଜିଲ ବାଇଡେନ ଓ ଓଲେନା ଜେଲେନ୍‌ସ୍କିଙ୍କ ମଧ୍ୟରେ ଭେଟ ହୋଇଥିଲା, ସେଠାରେ ୟୁକ୍ରେନ୍‌ର ଲୋକେ ଶରଣ ନେଇଛନ୍ତି। କୁହାଯାଉଛି ଯେ, ଆମେରିକା ରାଷ୍ଟ୍ରପତି ନିଜେ ୟୁକ୍ରେନ୍ ଯିବାକୁ ଚାହୁଁଥିଲେ। କିନ୍ତୁ ସୁରକ୍ଷା ଅଧିକାରୀମାନେ ଏଭଳି ନ କରିବାକୁ ପରାମର୍ଶ ଦେଇଥିଲେ। ପୋଲାଣ୍ଡ ଗସ୍ତ ସମୟରେ ଜୋ ବାଇଡେନ୍ ମଧ୍ୟ ଏହା କହିଥିଲେ।