ସବୁ ବିଭାଗକୁ ହିସାବ ମାଗିଲେ ନବୀନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ମେ’ ୨୯ ତାରିଖରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପଞ୍ଚମପାଳି ବିଜେଡି ସରକାରକୁ ୩ ବର୍ଷ ପୂର୍ତ୍ତି ହେବ। ଏହି ଅବସରରେ ୩ ବର୍ଷ ମଧ୍ୟରେ ଲୋକଙ୍କୁ ବିଜେଡି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କେତେଦୂର ପାଳନ ହୋଇଛି, ସେନେଇ ବିଭିନ୍ନ ବିଭାଗକୁ ହିସାବ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ପଞ୍ଚମପାଳି ସରକାର ଗଠନ ପରେ ପ୍ରଥମ କ୍ୟାବିନେଟ୍‌ରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଥିଲା, ସେ ଦିଗରେ ବିଭାଗଗୁଡ଼ିକ କେତେ ତତ୍ପରତା ପ୍ରକାଶ କରିଛନ୍ତି ତାହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

ଜଳେସଚନ, ମିଶନ ଶକ୍ତି, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ, ପଛୁଆବର୍ଗ କମିଶନର ପୁନର୍ଗଠନ, ଖାଦ୍ୟ ନିରାପତ୍ତା, ବିଏସକେୱାଇ ଯୋଜନା, ପକ୍କାଘର ନିର୍ମାଣ ଓ ବିଜୁ ଏକ୍ସପ୍ରେସ ୱେ ସମେତ ମୋଟ୍ ୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ବିଭିନ୍ନ ବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ଅବଗତ ହେବାସହ ଦାୟିତ୍ୱରେ ଥିବା ବିଭାଗୀୟ ମନ୍ତ୍ରୀଙ୍କର କାର୍ଯ୍ୟଦକ୍ଷତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମାପିବେ। ମନ୍ତ୍ରିମଣ୍ଡଳ ଅଦଳ ବଦଳକୁ ନେଇ ହେଉଥିବା ଚର୍ଚ୍ଚା ଭିତରେ ଏହି ସମୀକ୍ଷା ଏକ ମାପକାଠି ସାଜିବ ବୋଲି କୁହାଯାଉଛି।