ସେପ୍ଟେମ୍ବରରୁ ଋଷିୟ ଟିକା “ସ୍ପୁଟନିକ-ଭି”ର ଉତ୍ପାଦନ କରିବ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ସର୍ବ ବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସେପ୍ଟେମ୍ବରରେ କରୋନା ଟିକା ସ୍ପୁଟନିକ-ଭି ଉତ୍ପାଦନ ଆରମ୍ଭ କରିବ। ଏନେଇ ଋଷର ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଏଫ୍)ର ସିଇଓ କିରିଲ ଡିମିଟ୍ରିଭ କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଭାରତରେ ଏହି ଟିକା ଉତ୍ପାଦନ ପାଇଁ ଅନ୍ୟ କେତେକ ଉତ୍ପାଦନ ମଧ୍ୟ ପ୍ରସ୍ତୁତ ବୋଲି ସେ ସୂଚନା ଦେଇଛନ୍ତି।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ସହିତ ବାର୍ଷିକ ୩୦୦ ନିୟୁତ ଡୋଜ ଉତ୍ପାଦନ କରିବା ପାଇଁ ଚୁକ୍ତି ହୋଇଛି। ଆରଡିଏଫ୍ ଏକ ବିବୃତ୍ତିରେ କହିଛି ଯେ ଋଷର ଗାମାଲିଆ କେନ୍ଦ୍ରରୁ ସେରମ୍ ଇନଷ୍ଟିଚ୍ୟୁଟ୍ ସେଲ୍ ଏବଂ ଭେକ୍ଟର ନମୁନା ଗ୍ରହଣ କରିଛି।

ତେବେ ହାଇଦ୍ରାବାଦ ଭିତ୍ତିକ ଡ. ରେଡ୍ଡୀଙ୍କ ଲାବୋରଟୋରୀ ପ୍ରଥମେ ଭାରତରେ ଏହି ଟିକା ବଣ୍ଟନ ଏବଂ ପରେ ନିଜେ ଉତ୍ପାଦନ କରିବା ପାଇଁ ରୁଷର ନିର୍ମାତାଙ୍କ ସହ ଏକ ଚୁକ୍ତି କରିଥିଲା ଏବଂ ଦେଶର ୫୦ଟି ସହରରେ ଏହି ଟିକା ଏବେ ଉପଲବ୍ଧ କରାଉଛି।