ସେନାକୁ ଯିବା ଭୟରେ ଦେଶ ଛାଡ଼ୁଛନ୍ତି ଋଷବାସୀ

ନୂଆଦିଲ୍ଲୀ: ଋଷ ଗୋଟିଏ ପଟେ ୟୁକ୍ରେନ ସହ ଯୁଦ୍ଧରେ ପଛରେ ପଡ଼ିଥିବାବେଳେ ଅନ୍ୟପଟେ ଦେଶ ଭିତରେ ମଧ୍ୟ ସମସ୍ୟା ବଢ଼ିବାରେ ଲାଗିଛି । ସେନାରୁ ଡାକରା ମିଳିବା ଭୟରେ ଲୋକେ ଏବେ ଦେଶ ଛାଡ଼ି ପଳାୟନ କରୁଛନ୍ତି । ଏଭଳି ସ୍ଥିତିରେ ପୁତିନଙ୍କ ସେନାକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ପୁତିନ ଧମକପୂର୍ଣ୍ଣ ସ୍ୱରରେ ଋଷ ନିଜ କ୍ଷେତ୍ରର ସୁରକ୍ଷା ପାଇଁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବ ବୋଲି ପଶ୍ଚିମୀ ଦେଶକୁ କହିଥିଲେ । ରିଜର୍ଭ ସେନାକୁ ଡକାଇବା ପାଇଁ ସେ ହସ୍ତାକ୍ଷର କରି ଦେଇଥିବା ନେଇ ମଧ୍ୟ ପୁତିନ ସୂଚନା ଦେଇଥିଲେ । ଏହାପରେ ଋଷରୁ ଉଡ଼ାଣ ଭରୁଥିବା ଉଡ଼ାଜାହଜର ଟିକେଟ ବିକ୍ରି ହଠାତ ବଢ଼ି ଯାଇଥିଲା । ଟିକେଟର ଦାମ ମଧ୍ୟ ହଠାତ ବଢ଼ି ଯାଇଥିଲା ।