ଋଷିମାଳ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

ବ୍ରାହ୍ମଣୀଗାଁ,ଏଜେନ୍ସି: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟରେ ଅନୁଷ୍ଠିତ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଦିବସରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିଆର ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଦଶରଥ ହେମ୍ବ୍ରମ୍ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଥାନା ଅଧିକାରୀ ଶଙ୍କର ୱାର୍ଡକା, କ୍ରୀଡ଼ା ପ୍ରଶିକ୍ଷକ ରବି ନାରାୟଣ ପାଢ଼ୀ, ଅଧ୍ୟାପକ ମିଲନ ବେହେରା ପାତ୍ର ପ୍ରମୁଖ ଯୋଗଦେଇଥିଲେ।

ଉକ୍ତ ବୈଠକରେ ନାରୀ ମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅତ୍ୟାଚାର, ଶୋଷଣ, ନିର୍ଯାତନା ସହ ଆତ୍ମରକ୍ଷା କୌଶଳକୁ କେଉଁ ସମୟରେ ବ୍ୟବହାର କରିବେ ସେନେଇ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଥାନା ଅଧିକାରୀ ଶ୍ରୀ ହେମ୍ବ୍ରମ୍ ନିଜ ବକ୍ତବ୍ୟ ରଖିଥିଲେ। ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ୧୬୩ ଜଣ ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମକୁ କ୍ରୀଡା ପ୍ରଶିକ୍ଷକ ଶ୍ରୀ ପାଢ଼ୀ ପରିଚାଳନା କରିଥିବାବେଳେ ଅଧ୍ୟାପକ ଶ୍ରୀ ବେହେରା ମାଝୀ ସହଯୋଗ କରିଥିଲେ ଏବଂ ମାଷ୍ଟର ଟ୍ରେନର ଭାବେ ଜୀବନଜ୍ୟୋତି ମହାବିଦ୍ୟାଳୟର ଛାତ୍ରୀ ତୃପ୍ତି ପ୍ରଧାନ ଓ ବିନିତା ପ୍ରଧାନ ୮ ଦିନ ଧରି ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଦାନ କରିଥିଲେ।