ଭେଣ୍ଟିଲେଟରରୁ ବାହାରିଲେ ବିଶିଷ୍ଟ ଲେଖକ ସଲମାନ ରୁସ୍‌ଦୀ

ନ୍ୟୁୟର୍କ,ଏଜେନ୍ସି: ନ୍ୟୁୟର୍କର ବୁକର ପ୍ରାଇଜ୍‌ ବିଜେତା ତଥା ବିବାଦୀୟ ପୁସ୍ତକ ଦ ଷ୍ଟାନିକ ଭର୍ସେସର ଲେଖକ ସଲମାନ ରୁସ୍‌ଦୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ଆକ୍ରମଣର ଗୋଟିଏ ଦିନ ପରେ ଭେଣ୍ଟିଲେଟରରୁ ବାହାରିଲେ ରୁସ୍‌ଦୀ । ସେ ଶନିବାର କଥାବାର୍ତ୍ତା ହେବା ସହ ମଜାଳିଆ କଥା କହିଥିବା ତାଙ୍କ ଏଜେଣ୍ଟ ଗଣମାଧ୍ୟମକୁ ସୂଚନା ଦେଇଛି ।

ରୁସ୍‌ଦୀ ଗତ ଶୁକ୍ରବାର ଚାଉତାଉକ୍ବା ଇନଷ୍ଟିଟ୍ୟୁସନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଶନିବାର ସନ୍ଧ୍ୟାରେ ତାଙ୍କ ସହ ଲେଖକ ଆତିଶ ତାସୀର ଟ୍ବିଟ କରି ସେ ଭେଣ୍ଟିଲେଟରରୁ ବାହାରିଥିବା ନେଇ ସୂଚନା ଦେଇଥିଲେ । ଏହାସହ ସେ କଥାବାର୍ତ୍ତା ହୋଇଥିବା ମଧ୍ୟ କହିଥିଲେ ରୁସ୍‌ଦୀଙ୍କ ଏଜେଣ୍ଟ ଏଣ୍ଡ୍ରୁ ଭାୟଲୀ ।

ସେପଟେ ଶୁକ୍ରବାର ରୁସ୍‌ଦୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗୀ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲା । ମାତ୍ର ପୋଲିସ ଏହାକୁ ଯୋଜନାବଦ୍ଧ ଭାବେ ରୁସ୍‌ଦୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି କହିଛି । ପଶ୍ଚିମ ନ୍ୟୁୟର୍କରେ ଯୁକ୍ତିତର୍କ ବେଳେ ଅଭିଯୁକ୍ତ ହାଦି ମତାରଙ୍କ ଓକିଲ ତାଙ୍କ ପକ୍ଷରୁ ଏହି ଆବେଦନ କରିଥିଲେ । ଅଭିଯୁକ୍ତ ଜଣକ କଳା ଓ ଧଳା ଜମ୍ପସୁଟ୍ ଏବଂ ଧଳା ମାସ୍କ ପିନ୍ଧି କୋର୍ଟରେ ହାଜର ହୋଇଥିଲେ । ତାଙ୍କ ହାତ ବନ୍ଧା ହୋଇଥିଲା । ଜିଲ୍ଲା ଓକିଲ ଜେସନ ସ୍ମିଥ ଏହି ୨୪ ବର୍ଷୀୟ ମତାରଙ୍କୁ ଅଭିଯୁକ୍ତ ବୋଲି କହିବା ପରେ ବିଚାରପତି ମତାରଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ।

ଏହି ଆକ୍ରମଣ ଉଦ୍ଦେଶ୍ୟମୂଳକ ବୋଲି କହିଥିଲେ ଜିଲ୍ଲା ଓକିଲ ଜେସନ ସ୍ମିଥ । ଏହି ଘଟଣା ପାଇଁ ମତାର ପୂର୍ବରୁ ଏକ ପାସ୍ ନେଇଥିଲେ ଏବଂ ଗୋଟିଏ ଦିନ ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ରୁସ୍‌ଦୀଙ୍କ ଉପରେ ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା ବୋଲି ସେ କହିଥିଲେ । ସେପଟେ ପବ୍ଲିକ ଡିଫେଣ୍ଡର ନାଥାନିଏଲ ବାରୁନ ଅଭିଯୋଗ କରିଛନ୍ତି ଯେ ମତାରଙ୍କୁ କୋର୍ଟ ଆଣିବା ପାଇଁ ଅଧିକାରୀମାନେ ଅଧିକ ସମୟ ନେଇଥିଲେ ।