ବର୍ଷା ଜଳ ଅମଳ ପାଇଁ ଛାତ ଯୋଜନା, ଭୂତଳ ଜଳ ବୃଦ୍ଧି ଲକ୍ଷ୍ୟ

ଭୁବନେଶ୍ବର,ଏନ୍ଏନ୍ଏସ୍: ଭବିଷ୍ୟତରେ ଉଗ୍ରରୂପ ନେବାକୁ ଯାଉଛି ଜଳ ସଙ୍କଟ । ତଳକୁ ତଳ ଖସି ଚାଲିଛି ଭୂତଳ ଜଳ । ଭୁବନେଶ୍ବରର ଉପକଣ୍ଠ ଅଞ୍ଚଳରେ ଗମ୍ଭୀର ହେବାରେ ଲାଗିଛି ପରିସ୍ଥିତି । ବିଶେଷ କରି ଗ୍ରୀଷ୍ମ ଋତୁରେ ଏହି ସସମ୍ୟା ମୁଣ୍ଡବିଧାର କାରଣ ପାଲଟିଛି । ଭୂତଳ ଜଳ ସ୍ତରକୁ ବୃଦ୍ଧି କରିବା ଲାଗି ଛାତ ଯୋଜନା ହାତକୁ ନେଇଛନ୍ତି ସରକାର । ଏଥିରେ ବର୍ଷା ଜଳକୁ ସଂରକ୍ଷିତ କରାଯାଇ ଭୂତଳ ଜଳକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଧୀରେ ଧୀରେ ଭୂତଳ ଜଳ ଉପରୁ ଚାପ କମାଇବା ସହ ବର୍ଷା ଜଳର ସଂରକ୍ଷଣ ନିମିତ୍ତ ଛାତ ଉପର ବର୍ଷା ଜଳ ଅମଳ ପଦ୍ଧତିରେ ଏହି ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଜଳକୁ ୫୨ଟି ବ୍ଲକ ଓ ୨୨ଟି ସହରାଞ୍ଚଳରେ ୨୭୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ କରାଯିବ । ବ୍ୟକ୍ତିଗତ କୋଠାରେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ସର୍ବାଧିକ ୫୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରାଯାଇଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ ମୋହର ମାରିସାରିଛି କ୍ୟାବିନେଟ ।

ଅନ୍ୟପଟେ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀଙ୍କ ଅନୁସାରେ, “ରାଜ୍ୟରେ ଭୂତଳ ଜଳ କମି କମି ଯାଉଛି । ଯେତିକି ପରିମାଣରେ ଭୂତଳ ଜଳ ବ୍ୟବହାର ହେଉଛି ସେତିକି ପରିମାଣରେ ଜଳ ପୂର୍ଣ୍ଣ ହେଉ ନାହିଁ । ୧୦ ମିଟର ତଳକୁ ଚାଲିଗଲାଣି ଭୂତଳ ଜଳ । ରାଜ୍ୟର ମୋଟ ୩୦ ଜିଲ୍ଲାରୁ ୨୪ ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ତେଣୁ ଏହି ଛାତ ଯୋଜନା ଯଦି ସଠିକ ଭାବେ କାର୍ଯ୍ୟକାରୀ ହୁଏ ତେବେ ବର୍ଷା ଜଳକୁ ସଂରକ୍ଷଣ କରାଯିବ । ଛାତ ଉପରେ ବର୍ଷା ଜଳକୁ ସଂରକ୍ଷଣ କରାଯାଇ ପାଇପ ଯୋଗେ ଭୂତଳକୁ ଛଡାଯିବ । ଏହାଦ୍ବାରା ଭୂତଳ ଜଳସ୍ତର ବଢିବ ।”

ରାଜ୍ୟର ବିଭିନ୍ନ ପ୍ରମୁଖ ସହରରେ ପିଚୁ ରାସ୍ତା, କଂକ୍ରିଟ ଘର । ବର୍ଷା ପାଣି ପିଚୁ ରାସ୍ତା ଏବଂ କଂକ୍ରିଟ ରାସ୍ତା କାରଣରୁ ଭୂତଳକୁ ଯାଉନାହିଁ । ତେଣୁ ଭୂତଳ ଜଳ ଚିନ୍ତାକୁ ଦୂର କରିବା ପାଇଁ ଏହି ଯୋଜନା ସଠିକ ରୂପାୟନ ହେବା ଜରୁରୀ ହୋଇପଡିଛି ।