ଆଉ ପ୍ରଭାବିତ ହେବନି ଗ୍ରାମାଞ୍ଚଳ ପିଲାଙ୍କ ପାଠପଢ଼ା; ଇସ୍ରୋ ଲଞ୍ଚ କରୁଛି ସାଟେଲାଇଟ ଟିଭି

ନୂଆଦିଲ୍ଲୀ,ଏଜେନ୍ସି: ମହାମାରୀ କରୋନା ଭୂତାଣୁକୁ ନେଇ ଦେଶରେ ଲକଡାଉନ ଜାରି ହେବା ପରଠାରୁ ସ୍କୁଲ ଶିକ୍ଷା ସୁଚାରୁ ରୂପେ ଆରମ୍ଭ ହୋଇପାରିନାହିଁ। ଏନେଇ ସ୍କୁଲ ତରଫରୁ ଅନଲାଇନରେ ଶିକ୍ଷା ଦାନ ପାଇଁ ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ଅନେକ ଗ୍ରାମୀଣ ଅଞ୍ଚଳରେ ଏହି ଅନଲାଇନ ଶିକ୍ଷା ସୁବିଧା ପହଞ୍ଚି ପାରୁନାହିଁ। ଅନେକ ପଛୁଆ ଅଞ୍ଚଳରେ ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୁବିଧା ଅଭାବରୁ ସେଠାକାର ପିଲାମାନଙ୍କର ଶିକ୍ଷା ବେଶ୍ ପ୍ରଭାବିତ ହୋଇଛି। ଫଳରେ ଅନେକ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ଏହାକୁ ଲକ୍ଷରେ ରଖି ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ବା ଇସ୍ରୋ ଭାରତ ସରକାରଙ୍କ ସହିତ ମିଶି ଏକ ବଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଛି।

ଭାରତର ଗ୍ରାମାଞ୍ଚଳରେ ବିଦ୍ୟାଳୟଗୁଡ଼ିକୁ ଡିଜିଟାଲାଇଜେସନ୍ କରିବାକୁ ଭାରତ ସରକାରଙ୍କ ସହଯୋଗରେ ଇସ୍ରୋ ସାଟେଲାଇଟ୍ ଟିଭି ଶ୍ରେଣୀଗୃହ ସ୍ଥାପନ କରିବାକୁ ରାଜି ହୋଇଛି। ଭାରତ ସରକାର ଏବଂ ଇସ୍ରୋର ଏହି ମିଳିତ ଅଭିଯାନ ସହିତ ଗ୍ରାମାଞ୍ଚଳରେ ପଢୁଥିବା ପିଲାମାନେ କରୋନା ମହାମାରୀ ସମୟରେ ମଧ୍ୟ କ୍ଲାସ୍ କରିପାରିବେ।