ନୂଆଦିଲ୍ଲୀ,ଏଜେନ୍ସି : ଲଦାଖରୁ ଚୀନ୍ ସେନା ପଛକୁ ହଟିଥିଲେ ମଧ୍ୟ ଯେ କୌଣସି ସମୟରେ ପୁଣି ଥରେ ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା କରୁଛି ଭାରତ। ଆହୁରି ମଧ୍ୟ ପଶ୍ଚିମ ପଟେ ଥିବା ପାକିସ୍ତାନ ପଟୁ ବରାବର ବିପଦ ଲାଗିରହିଛି। ଏ ପରିସ୍ଥିତିରେ ବୁଧବାର ବସିଥିବା ପ୍ରତିରକ୍ଷା ସାମଗ୍ରୀ ଖର୍ଦ୍ଦି ପରିଷଦ (ଡିଏସି)ର ବୈଠକରେ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।
ଏହି ନିଷ୍ପତ୍ତି ଅନୁସାରେ ସେନାକୁ ୩୦୦ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି। ଏହି କ୍ଷମତାର ଉପଯୋଗ କରି ସେନା ନିଜର ଆବଶ୍ୟକତାମତେ ସାମଗ୍ରୀ ଖରିଦ କରିପାରିବ ଓ ଏଥିପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ହେବ ନାହିଁ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏହି ବୈଠକ ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଜରୁରୀକାଳୀନ ଆବଶ୍ୟକତା ମେଣ୍ଟାଇବାକୁ ସେନାକୁ ଏହି ଅଧିକାର ପ୍ରଦାନ କରାଯାଇଛି। ଏହା ଫଳରେ ସେନା ଦ୍ୱାରା ଜରୁରୀ ଅସ୍ତ୍ରଶସ୍ତ୍ର ଓ ପ୍ରତିରକ୍ଷା ସାମଗ୍ରୀ ଅବିଳମ୍ବେ କିଣାଯାଇପାରିବ।
ସରକାରଙ୍କ ଏହି ନିଷ୍ପତ୍ତି ପରେ ସେନା ମାତ୍ର ୬ ମାସ ମଧ୍ୟରେ ପ୍ରତିରକ୍ଷା ଅର୍ଡର ଦେଇପାରିବ ଓ ପ୍ରାୟ ବର୍ଷକ ମଧ୍ୟରେ ଡେଲିଭରି ପାଇପାରିବ। ସରକାରଙ୍କ ଏହି ପଦକ୍ଷେପ ପରେ ସେନାର ବିଭିନ୍ନ ଆବଶ୍ୟକତା ମେଣ୍ଟାଇବା ଦିଗରେ ଦେଖାଯାଉଥିବା ଅମଲାତାନ୍ତ୍ରିକ ପ୍ରତିବନ୍ଧକକୁ ଏଡାଯାଇପାରିବ ବୋଲି ଜଣାପଡ଼ିଛି।