ଆଇଆଇଟି ଦିଲ୍ଲୀ ଦ୍ୱାରା ବିକଶିତ ବିଶ୍ୱର ସବୁଠାରୁ ଶସ୍ତା କୋଭିଡ୍ ଟେଷ୍ଟ କିଟ୍ ଲଞ୍ଚ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ଦ୍ୱାରା ବିକଶିତ ସ୍ୱଳ୍ପ ମୂଲ୍ୟର କୋଭିଡ୍-୧୯ ଟେଷ୍ଟିଙ୍ଗ କିଟ୍ ଲଞ୍ଚ କରିଛନ୍ତି। ବୁଧବାର ଏହି ଟେଷ୍ଟିଙ୍ଗ କିଟ୍ ଲଞ୍ଚ କରାଯାଇଥିବା ବେଳେ ଏହାର ଦାମ ଶସ୍ତା ରହିଥିବା କହିଛନ୍ତି ରମେଶ ପୋଖରିଆଲ ନିଶଙ୍କ।

ବିଶ୍ୱରେ କୋଭିଡ୍-୧୯ ଚିହ୍ନଟ ପାଇଁ ବ୍ୟବହାର ହେଉଥିବା ଟେଷ୍ଟିଂ କିଟ୍ ତୁଳନାରେ ଏହାର ଦାମ ଅତି କମ ବୋଲି ଜଣାପଡିଛି। ମାନବ ସମ୍ବଳ ବିକାଶ ମନ୍ତ୍ରୀ ଏହି ଉନ୍ମୋଚନକୁ ଏକ ଐତିହାସିକ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଡାଇଗ୍ନୋଷ୍ଟିକ୍ କିଟ୍ ବିକାଶ ପାଇଁ ଆଇଆଇଟି ଦିଲ୍ଲୀର ବିଶେଷଜ୍ଞ ଦଳକୁ ପ୍ରଶଂସା କରିଛନ୍ତି। ଟେଷ୍ଟ କିଟ୍ କୋଭିଡ୍-୧୯ ନମୁନା ପରୀକ୍ଷା ପାଇଁ ଏକ ବିକଳ୍ପ ପରୀକ୍ଷା ପଦ୍ଧତି ଏବଂ ନ୍ୟୁଟେକ୍ ମେଡିକାଲ ଦ୍ୱାରା ଏହାର ନାମ ‘କରୋସର୍’ ରଖାଯାଇଥିବା ଜଣାପଡିଛି।

ଏହି ଅବସରରେ ‘କରୋସର’ର ପରିଚାଳନା ନିର୍ଦ୍ଦେଶକ ଜତିନ ଗୋୟଲ କହିଛନ୍ତି ଯେ, କିଟର ମୂଲ୍ୟ ପ୍ରାୟ ୬୫୦ ଟଙ୍କା ରହିଛି। ଅନ୍ୟ ଦେଶରୁ ଆମଦାନୀ ହେଉଥିବା ଟେଷ୍ଟ କିଟ୍ ତୁଳନାରେ ଏହା ନିଶ୍ଚିତ ଭାବରେ ଶସ୍ତା। ଏହାଦ୍ୱାରା ଅତି ସୁଲଭ ମୂଲ୍ୟରେ ମାସକୁ ଦୁଇ ଲକ୍ଷ କୋଭିଡ୍ ପରୀକ୍ଷା କରିପାରିବ। ଏହି ଉତ୍ପାଦକୁ ଇଣ୍ଡିଆନ୍ କାଉନ୍‌ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜି) ଅନୁମୋଦନ କରିଛନ୍ତି।