ଆଇପିଏଲ୍‌-୧୬: ଜୈସ୍ୱାଲ୍ ଓ ପାଡିକଲ୍‌ଙ୍କ ଅର୍ଦ୍ଧଶତକ, ସପ୍ତମ ବିଜୟ ସହ ପଞ୍ଚମରେ ରାଜସ୍ଥାନ

ଧର୍ମଶାଳା,ଏଜେନ୍ସି: ଚଳିତ ଆଇପିଏଲ୍‌ରେ ଶୁକ୍ରବାର ସଂସ୍କରଣର ୬୬ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଭ୍ରମଣକାରୀ ରାଜସ୍ଥାନ ରୟାଲ୍ସ ଘରୋଇ ପଞ୍ଜାବ କିଙ୍ଗ୍‌ସକୁ ୪ ୱିକେଟ୍‌ରେ ପରାସ୍ତ କରି ତା’ର ପ୍ଲେଅଫ୍ ସମ୍ଭାବନାକୁ କାଏମ ରଖିଛି । ପ୍ରଥମେ ବ୍ୟାଟିଂ ପାଇ ପଞ୍ଜାବ ୫ ୱିକେଟ୍ ବିନିମୟରେ ୧୮୭ ରନ୍ କରିଥିଲା । ଏହାର ଜବାବରେ ଓପନର ଯଶସ୍ୱୀ ଜୈସ୍ୱାଲ୍ ଓ ଦେବଦତ୍ତ ପାଡିକଲ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ରାଜସ୍ଥାନ ୧୯.୪ ଓଭର୍‌ରେ ୧୮୯ ରନ୍ କରି ରାଜସ୍ଥାନ ତା’ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ବିଜୟୀ ହୋଇଛି । ଏଥିସହ ଦଳ ସପ୍ତମ ବିଜୟ ମାଧ୍ୟମରେ ପଏଣ୍ଟ୍ ଟେବଲ୍‌ରେ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି ।

ପଞ୍ଜାବର ଶୀର୍ଷ ୪ ବ୍ୟାଟ୍ସମ୍ୟାନ୍ ବିଶେଷ ଯୋଗଦାନ ଦେବାରେ ବିଫଳ ହେବାରୁ ଦଳ ୫୦ ରନ୍ ମଧ୍ୟରେ ୪ଟି ୱିକେଟ୍ ହରାଇସାରିଥିଲା । ଓପନର ପ୍ରଭସିମରନ୍ ସିଂହ ୨, ତାଙ୍କ ଯୋଡ଼ିଦାର ତଥା ଅଧିନାୟକ ଶିଖର ଧୱନ୍ ୧୭, ଅଥର୍ବ ତାଇଡେ ୧୯ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୯ ରନ୍ କରି ଆଉଟ୍ ହୋଇଥିଲେ । ତେବେ ପଞ୍ଚମ ୱିକେଟ୍‌ରେ ସାମ୍ କୁରାନ୍ ଓ ଜିତେଶ ଶର୍ମା ୬୪ ରନ୍ ଯୋଡ଼ିବା ଫଳରେ ଦଳୀୟ ସ୍କୋର୍ ୧୦୦ ଟପିଥିଲା । ଜିତେଶ ୨୮ ବଲ୍‌ରେ ୩ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୪୪ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ କୁରାନ୍ ତାଙ୍କ ବ୍ୟାଟିଂ ଜାରି ରଖି ଷଷ୍ଠ ୱିକେଟ୍‌ରେ ଶାହରୁଖ୍ ଖାନ୍‌ଙ୍କ ସହ ଅବିଭାଜିତ ୭୩ ରନ୍ ଯୋଡ଼ିଥିଲେ । କୁରାନ୍ ୩୧ ବଲ୍‌ରେ ୪ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୪୯ ରନ୍ କରିଥିବା ବେଳେ ଶାହରୁଖ୍ ୨୩ ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ଜରିଆରେ ୪୧ ରନ୍ କରିଥିଲେ । ରାଜସ୍ଥାନ ପକ୍ଷରୁ ନବଦୀପ ସୈନୀ ୩ଟି ଏବଂ ଟ୍ରେଣ୍ଟ୍ ବୋଲ୍ଟ ଓ ଆଡାମ୍ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ରାଜସ୍ଥାନ ଓପନର ଜୋସ୍ ବଟଲର୍ ଶୂନରେ ଆଉଟ୍ ହୋଇଥିଲେ ମଧ୍ୟ ଜୈସ୍ୱାଲ୍ ଓ ପାଡିକଲ୍‌ଙ୍କ ମଧ୍ୟରେ ୭୩ ରନ୍‌ର ଭାଗୀଦାରୀ ହୋଇଥିଲା । ପାଡିକଲ୍ ୩୦ଟି ବଲ୍ ଖେଳି ୫ଟି ଚୌକା ଓ ୩ଟି ଛକା ସହ ୫୧ ରନ୍‌ରେ ଆଉଟ୍ ହେବା ପରେ ଏହି ଭାଗୀଦାରୀ ଭାଙ୍ଗିଥିଲା । ଅଧିନାୟକ ସଞ୍ଜୁ ସାମ୍‌ସନ୍ ମାତ୍ର ୨ ରନ୍ କରିଥିଲେ । ଚତୁର୍ଥ ୱିକେଟ୍‌ରେ ଶିମ୍‌ରୋନ୍ ହେଟମେୟର୍‌ଙ୍କ ସାଥୀରେ ୪୭ ରନ୍ ଯୋଡ଼ିବା ପରେ ଜୈସ୍ୱାଲ୍ ୮ଟି ଚୌକା ସହ ୫୦ ରନ୍‌ରେ ପ୍ୟାଭିଲିଅନ୍ ଫେରିଥିଲେ । ଏହାପରେ ହେଟମେୟର୍ ଓ ରିୟାନ୍ ପରାଗ୍ ୩୨ ରନ୍ ଯୋଡ଼ି ଦଳକୁ ବିଜୟ ନିକଟତର କରାଇଥିଲେ । ପରାଗ୍ ଗୋଟିଏ ଚୌକା ଓ ୨ଟି ଛକା ସହ ୨୦ ଏବଂ ହେଟମେୟର୍ ୨୮ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ଜରିଆରେ ୪୬ ରନ୍ କରିଥିଲେ । ବିଂଶତମ ଓଭର୍‌ର ଚତୁର୍ଥ ବଲ୍‌ରେ ଛକା ମାରି ଧ୍ରୁବ ଜୁରେଲ୍ ଦଳକୁ ବିଜୟୀ କରାଇଥିଲେ । ପଞ୍ଜାବ ପକ୍ଷରୁ କାଗିସୋ ରବାଡା ୨ଟି ଏବଂ ସାମ୍ କୁରାନ୍‌, ଅର୍ଶଦୀପ ସିଂହ, ନାଥନ୍ ଏଲିସ୍ ଓ ରାହୁଲ୍ ଚହର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।