ଯାତ୍ରୀଙ୍କ ଚୋରି ସୁନା ଗହଣା ଉଦ୍ଧାର କଲା ଆର୍‌ପିଏଫ୍‌

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଟ୍ରେନ୍‌ ଯାତ୍ରୀଙ୍କ ଠାରୁ ସାଢେ଼ ୪ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଥିବା ବ୍ୟାଗ୍ ଚୋରି ହୋଇଯାଇଥିବା ବେଳେ ତାକୁ ଉଦ୍ଧାର କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଟିଟିଲାଗଡ ଆରପିଏଫ୍। ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଛତିଶଗଡ଼ ଦୁର୍ଗ ଜିଲ୍ଲା ଅନ୍ତର୍ଗତ ଭିଲାଇର ଅନିଶ ହୁସେନ ନିଜ ପରିବାର ସହ ଏକ ବିବାହ ଉତ୍ସାବରେ ଯୋଗଦେଇ ବିଶାଖାପାଟଣାରୁ ଲିଙ୍କ ଏକ୍ସପ୍ରେସ ଯୋଗେ ଦୁର୍ଗକୁ ଫେରୁଥିଲେ। ଏହି ସମୟରେ ଟିଟିଲାଗଡ ଠାରେ ସେମାନେ ସିଟ ତଳେ ରଖିଥିବା ଟ୍ରଲି ବ୍ୟାଗ୍ ନଥିବା ଦେଖି ରେଳବାଇ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଆର୍‌ପିଏଫ୍‌ ଆଇଆଇସିଙ୍କ ତତ୍ତ୍ଵାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା।

ଉଭୟ ଆରପିଏଫ୍ ଓ ଜିଆରପି ଅଧିକାରୀ ରେଳବାଇ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ଜଣେ ଯୁବକ ଉକ୍ତ କୋଚରୁ ସେହି ବ୍ୟାଗ୍ ଧରି ଓହ୍ଲାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଆଧାର କରି ପୁଲିସ ତଦନ୍ତକୁ ବ୍ୟାପକ କରିଥିଲା। ତେବେ ଉକ୍ତ ଯୁବକ ଜଣକ ବରଗଡ଼ର ବାଳକୃଷ୍ଣ ସାହୁଙ୍କ ପୁଅ ପ୍ରେମାନନ୍ଦ ସାହୁ(୩୧) ଓରଫ ଗୋପାଳ ବୋଲି ଜଣାପଡ଼ିବା ସହ ସେ ଟିଟିଲାଗଡ ଷ୍ଟେସନ ନିକଟରେ ଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ। ଆର୍‌ପିଏଫ୍‌ ଆଇଆଇସି ଧର୍ମେନ୍ଦ୍ର ମିଶ୍ର, ସିପାହୀ ଏସସି ନାୟକ, ସିଆଇବି ଏସ୍‌ଆଇ ଏନ ବେହେରା, ଓବିକ କୁମାର ପ୍ରମୁଖ ଖୋଜାଖୋଜି କରି ଉକ୍ତ ଯୁବକକୁ ୩ନଂ ପ୍ଲାଟଫର୍ମରୁ କାବୁ କରିଥିଲେ। ଏଥିସହ  ସେ ଲୁଚାଇ ରଖିଥିବା ସୁନା ଅଳଙ୍କାର ସହ ପୋଷାକ ଭର୍ତ୍ତି ଟ୍ରଲି ବ୍ୟାଗ୍ ଉଦ୍ଧାର କରିଥିଲେ।

ରେଳବାଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଚୋରି ଜିନିଷ ଫେରି ପାଇବା ପରେ ଉକ୍ତ ପରିବାର ଆର୍‌ପିଏଫ୍ ଓ ଜିଆର୍‌ପିକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।