ଆଇପିଏଲ୍‌: ଶେଷ ଓଭରରେ ୩ ବାଉଣ୍ଡ୍ରି ସତ୍ତ୍ୱେ ହାରିଲା ଚେନ୍ନାଇ, ଚାଲିପାରିଲାନି ଧୋନୀଙ୍କ ଯାଦୁ

ପୁନେ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୪୯ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଖେଳାଯାଇଛି । ପୁନେସ୍ଥିତ ମହରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ରୋମାଞ୍ଚକର ମୁକାବିଲାରେ ବାଙ୍ଗାଲୋର ୧୩ ରନ୍‌ରେ ମ୍ୟାଚ୍ ଜିତିଛି । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ବିନିମୟରେ ୧୭୩ ରନ୍ କରିଥିଲା । ଜବାବରେ ଚେନ୍ନାଇ ୮ଟି ୱିକେଟ ହରାଇ ୧୬୦ ରନ୍‌ରେ ଅଟକିଯାଇଥିଲା ।

ମ୍ୟାଚ୍ ରୋମାଞ୍ଚକର ଥିଲା । ଚେନ୍ନାଇକୁ ଶେଷ ୨ ଓଭରରେ ୩୯ ରନ୍ ଦରକାର ଥିବା ବେଳେ ଦଳ ୧୯ତମ ଓଭରରେ ୮ ରନ୍ ଓ ଶେଷ ଓଭରରେ ୨୦ ରନ୍ କରିପାରିଥିଲା । ମ୍ୟାଚ ଜିତିବା ପାଇଁ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବଡ଼ ଉଦ୍ୟମ କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ । ଧୋନୀ ୧୯ତମ ଓଭରର ପ୍ରଥମ ବଲ୍‌ରେ ଆଉଟ୍ ହୋଇଯିବା ପରେ ଦଳର ଅନ୍ୟ ଖେଳାଳିମାନେ ଆବଶ୍ୟକ ରନ୍ କରିପାରି ନଥିଲେ । ଧୋନୀ ୩ଟି ବଲ୍ ସାମ୍ନା କରି ମାତ୍ର ରନ୍ କରିଥିଲେ ।

ଚେନ୍ନାଇ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ଦଳର ପ୍ରାରମ୍ଭିକ ବ୍ୟାଟର ଋତୁରାଜ ଗାଏକ୍ୱାଡ ୨୮ ରନ୍ ଓ ଡେଭନ କନୱେ ୫୬ ରନ୍ କରିଥିଲେ । ତେବେ କନ୍‌ୱେ ଆଉଟ୍ ହୋଇଯିବା ପରେ ଅନ୍ୟ ଖେଳାଳିମାନେ କ୍ରିଜ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠିପାରି ନଥିଲେ । ମୋଇନ୍ ଅଲୀ ୩୪ ରନ୍ କରିଥିଲେ । ଅବନ୍ତୀ ରାୟଡୁ ରବୀନ୍ଦ୍ର ଜାଦେଜା, ରବୀନ ଉତ୍‌ଥପା ଅତି ଶସ୍ତାରେ ଆଉଟ୍ ହୋଇଥିଲେ । ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ଗ୍ଲେନ ମାକ୍ସଙ୍କୁ ୨ଟି ଓ ଶହବାଜ୍ ଅହମଦ, ଜୋସ ହେଜେଲଉଡ ଓ ୱାନିନ୍ଦୁ ହସରଙ୍ଗାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।