ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା ବିମାନବନ୍ଦରର ନିର୍ମାଣ କାମ ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ପରିବେଶ ଅନୁମୋଦନ ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଷ୍ଟିଲ ଟାଉନ୍ସିପ୍ର ସେକ୍ଟର-୧୪ରେ ନିର୍ମାଣାଧୀନ ଏହି ବିମାନବନ୍ଦରକୁ ଷ୍ଟେଟ୍ ଏନ୍ଭାରମେଣ୍ଟ ଇମ୍ପାକ୍ଟ ଆସେସ୍ମେଣ୍ଟ ଅଥରିଟି (ଏସ୍ଇଆଇଏଏ)ର ୯୩ତମ ବୈଠକରେ ପରିବେଶ ଅନୁମୋଦନ ମିଳିଥିବା ନେଇ ସୂଚନା ମିଳିଛି। ଏହି ବିମାନବନ୍ଦର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ମାଲିକାନାରେ କାର୍ଯ୍ୟ କରିବ। ଏଠାରୁ ୩ ବର୍ଷ ପାଇଁ ବିମାନ ଉଡାଣର ପରିଚାଳନା କରିବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ।
୨୦୨୩ରେ ଖେଳା ଯିବାକୁ ଥିବା ପୁରୁଷ ବିଶ୍ୱକପ ହକିକୁ ଦୃଷ୍ଟିରେ ରଖି ରାଉରକେଲାରେ ବିମାନବନ୍ଦରର ନିର୍ମାଣ କରାଯାଉଛି। ଗତ ମେ’ ମାସରେ ରାଜ୍ୟ ମୁଖ୍ୟ ଶାସନ ସଚିବ ରାଉରକେଲା ଗସ୍ତ କରି ସମୀକ୍ଷା ବୈଠକ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ହକି ଷ୍ଟାଡିୟମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।