ରୋହିତ ଶର୍ମା ନୂଆ ଦିନିକିଆ କ୍ୟାପ୍‌ଟେନ୍‌; ସାଉଥ୍ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଟେଷ୍ଟ ଟିମର ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ଅବ୍ୟାହତି ଦିଆଯାଇ ବୁଧବାର ଜାତୀୟ ସିଲେକ୍ସନ୍ କମିଟି ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର ପୂର୍ଣ୍ଣକାଳୀନ ଦିନିକିଆ ଓ ଟି-୨୦ କ୍ୟାପ୍‌ଟେନ୍ ଭାବେ ୨୦୨୩ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ନିଯୁକ୍ତ କରିଛି। ବୁଧବାର ସାଉଥ୍ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଟେଷ୍ଟ ଟିମ୍ ଘୋଷଣା ବେଳେ ବିସିସିଆଇ ଏହି ସୂଚନା ଦେଇଛି। ବିରାଟ କୋହଲି ଟେଷ୍ଟ କ୍ୟାପ୍‌ଟେନ୍ ଭାବେ ପୂର୍ବପରି ଟିମ୍‌ର ନେତୃତ୍ୱ ନେବାକୁ ଥିବା ବେଳେ ଏହି ଫର୍ମାଟ୍‌ରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଭାଇସ୍ କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି। ଫର୍ମକୁ ନେଇ ସମାଲୋଚିତ ରାହାଣେ ଟେଷ୍ଟ ଭାଇସ୍ କ୍ୟାପ୍‌ଟେନ୍ ପଦରୁ ହଟିବା ସତ୍ତ୍ୱେ ଟିମ୍‌ରେ ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ତେବେ ଟିମ୍‌ରେ ହନୁମା ବିହାରୀ ଓ ଶ୍ରେୟସ୍ ଆୟର୍‌ଙ୍କୁ ସାମିଲ କରାଯାଇଥିବାରୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ହାସଲ ତାଙ୍କ ପାଇଁ କଷ୍ଟକର ହୋଇପାରେ। ନିକଟରେ ଡେବ୍ୟୁ ଟେଷ୍ଟରେ ଆୟର୍ ଆକର୍ଷଣୀୟ ପ୍ରଦର୍ଶନ ମାଧ୍ୟମରେ ପ୍ରଭାବିତ କରିଥିବା ବେଳେ ସାଉଥ୍ ଆଫ୍ରିକା ଗସ୍ତରେ ଥିବା ବିହାରୀ ଇଣ୍ଡିଆ-ଏ ପକ୍ଷରୁ ଭଲ ପ୍ରଦର୍ଶନ କରିଛନ୍ତି।

ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ବିଶ୍ରାମ ଦିଆଯାଇଥିବା ରୋହିତ ଶର୍ମା, ପେସର୍ ଜସ୍‌ପ୍ରୀତ୍ ବୁମ୍‌ରା, ମହମ୍ମଦ ଶମୀ, ଶାର୍ଦ୍ଦୁଲ୍ ଠାକୁର ଏବଂ ଋଷଭ ପନ୍ତ୍ ଟିମ୍‌କୁ ଫେରିଛନ୍ତି। ତେବେ ଆହତ ଥିବା ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ଓ ବୋଲର୍ ଅକ୍ଷର ପଟେଲ୍‌ଙ୍କୁ ଟିମ୍‌ରେ ସ୍ଥାନ ମିଳିନାହିଁ। ଟିମ୍‌ରେ ୧୮ ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ୪ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କୁ ସ୍ଥାନ ମିଳିଛି।

କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଆତଙ୍କ ଯୋଗୁଁ ନିକଟରେ ଏହି ଗସ୍ତକୁ ଘୁଞ୍ଚାଇ ଦିଆଯାଇଥିଲା। ନୂଆ କାର୍ଯ୍ୟକ୍ରମ ଅନୁସାରେ ଡିସେମ୍ବର ୨୬ ତାରିଖ ବକ୍ସିଂ ଡେ’ ଟେଷ୍ଟରୁ ଟିମ୍ ଇଣ୍ଡିଆର ଗସ୍ତ ଆରମ୍ଭ ହେବ। ଏହା ପରେ ଆଉ ଦୁଇଟି ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ବର୍ତ୍ତମାନ ବନ୍ଦ ରଖାଯାଇଛି ଏବଂ ପରେ ଏହା ଖେଳାଯିବ ବୋଲି ଉଭୟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା।

ସ୍କ୍ୱାଡ୍‌: ବିରାଟ କୋହଲି (କ୍ୟାପ୍‌ଟେନ୍‌), ରୋହିତ ଶର୍ମା (ଭାଇସ୍ କ୍ୟାପ୍‌ଟେନ୍‌), କେଏଲ୍ ରାହୁଲ, ମୟଙ୍କ ଅଗରୱାଲ୍‌, ଚେତେଶ୍ୱର ପୂଜାରା, ଆଜିଙ୍କ ରାହାଣେ, ଶ୍ରେୟସ୍ ଆୟର୍‌, ହନୁମା ବିହାରୀ, ଋଷଭ ପନ୍ତ୍ (ୱିକେଟ୍‌କିପର୍‌), ଋଦ୍ଧିମାନ ସାହା (ୱିକେଟ୍‌କିପର୍‌), ରବିଚନ୍ଦ୍ରନ୍ ଅଶ୍ୱିନ, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ଶମୀ, ଉମେଶ ଯାଦବ, ଜସ୍‌ପ୍ରୀତ୍ ବୁମ୍‌ରା, ଶାର୍ଦ୍ଦୁଲ୍ ଠାକୁର, ମହମ୍ମଦ ସିରାଜ୍।

ଷ୍ଟାଣ୍ଡବାଇ ଖେଳାଳି: ନବଦୀପ ସାଇନି, ସୌରଭ କୁମାର, ଦୀପକ ଚହର, ଅର୍ଜୁନ ନଗୱାସ୍‌ୱାଲା।