ବିଜୟରୁ ରୋହିତ-ଦ୍ରାବିଡ ଯୁଗର ଆରମ୍ଭ, ନ୍ୟୁଜିଲାଣ୍ଡକୁ ୫ ଓ୍ଵିକେଟ୍‌ରେ ହରାଇଲା ଭାରତ

ଜୟପୁର,ଏଜେନ୍ସି: ଟି-୨୦ ବିଶ୍ଵ କପରେ ନୈରାଶଜନକ ଅଭିଯାନ ପରେ ଭାରତ ଆଜି ନିଜର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିଛି। ପ୍ରଥମ ଟି-୨୦ରେ ଚମକିଛନ୍ତି ଭାରତୀୟ ବ୍ୟାଟସମ୍ୟାନ। ରାହୁଲ ଦ୍ରାବିଡଙ୍କ କୋଚିଂ ଏବଂ ରୋହିତ ଶର୍ମାଙ୍କ ନେତୃତ୍ଵରେ ପ୍ରଥମ ମ୍ୟାଚ୍ ଖେଳିଥିବା ଭାରତ ରୋମାଞ୍ଚକର ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଜୟପୁରର ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡକୁ ରୋମାଞ୍ଚକର ମ୍ୟାଚ୍‌ରେ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍‌ରେ ୧୬୪ ରନ କରିଥିଲା। ଦଳ ପକ୍ଷରୁ ମାର୍ଟିନ ଗୁପଟିଲ୍(୭୦) ଏବଂ ଚମ୍ପନ ୬୩ ରନର ଦମଦାର ଇନିଂସ ଖେଳିଥିଲେ। ଜବାବରେ ଭାରତ ସୂର୍ଯ୍ୟକୁମାର ଯାଦବ(୬୨) ଓ ରୋହିତ ଶର୍ମା(୪୮) ବଳରେ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ନଭେମ୍ବର ୧୯ରେ ରାଞ୍ଚିରେ ଖେଳାଯିବ।

୧୬୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଦଳକୁ ଭଲ ଆରମ୍ଭ ଦେଇଥିଲେ। ବିସ୍ଫୋରକ ବ୍ୟାଟିଂ କରି ୫.୧ ଓଭରରେ ୫୦ ରନ ଯୋଡିଥିଲେ ଓପନିଂ ଯୋଡିଥିଲେ। ବିଶେଷ କରି ରୋହିତ ଶର୍ମା ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରିଥିଲେ। କେଏଲ ରାହୁଲ(୧୫) ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଓ ସୂର୍ଯ୍ୟକୁମାର ଯାଦବ ଇନିଂସ ଆଗକୁ ବଢାଇଥିଲେ। ଆବଶ୍ୟକ ରନ ଗତି ବଜାୟ ରଖି ରୋହିତ ଓ ସୂର୍ଯ୍ୟକୁମାର ଯାଦବ ପ୍ରଥମ ଓ୍ଵିକେଟ୍‌ରେ ୫୯ ରନ ଯୋଡିଥିଲେ। ରୋହିତ ଶର୍ମା ୨ ରନ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ସେ ୩୬ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୪୮ ରନ କରି ପାଭିଲିୟନ ଫେରିଥିଲେ।

ସୂର୍ଯ୍ୟକୁମାର ଯାଦବ ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଟି-୨୦ ଅନ୍ତର୍ଜାତୀୟରେ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ୧୪୪ ରନ ସ୍କୋରରେ ସୂର୍ଯ୍ୟକୁମାର ଯାଦବ ୪୦ ବଲ୍‌ରୁ ୬ ଚୌକା ଓ ୩ ଛକା ସହ ୬୨ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାରଙ୍କ ଆଉଟ୍ ପରେ ଏକତରଫା ଲାଗୁଥିବା ମ୍ୟାଚ୍ ରୋମାଞ୍ଚକର ମୋଡ ନେଇଥିଲା। ଶେଷ ଓଭରରେ ଭାରତକୁ ୧୦ ରନ ଆବଶ୍ୟକ ଥିଲା। ଭେଙ୍କଟେଶ ଆୟର ୪ ରନ କରି ଆଉଟ୍ ହୋଇଥିଲେ। ଋଷଭ ପନ୍ତ ବିଜୟ ସୂଚକ ଚୌକା ମାରି ଭାରତକୁ ୫ ଓ୍ଵିକେଟ୍‌ରେ ଜିତାଇଛନ୍ତି। ଭାରତ ୧୯.୪ ଓଭରରେ ୧୬୫ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ମିଚେଲ୍ ସାଣ୍ଟନର ଓ ଡାର୍ଲି ମିଚେଲ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ନ୍ୟୁଜିଲାଣ୍ଡ ଇନିଂସ

ଦଳ ପକ୍ଷରୁ ଓପନର ଡାରିଲ ମିଚେଲ ଖାତା ଖୋଲିବାକୁ ସକ୍ଷମ ହୋଇନଥିବା ବେଳେ ମାର୍ଟିନ୍‌ ଗପ୍ଟିଲ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଗପ୍ଟିଲ ବ୍ୟକ୍ତିଗତ ଭାବେ ୫୦ ବଲରୁ ୩ ଚୌକା ଏବଂ ୪ ଛକା ସହାୟତାରେ ୬୩ ରନକରି ଆଉଟ ହୋଇଥିବା ବେଳେ ଡାର୍ଲି ମିଚେଲ ୦, ମାର୍କ ଚାପମାନ୍‌ ୫୦ ବଲରୁ ୬ ଚୌକା ଏବଂ ୨ ଛକା ସହାୟତାରେ ୬୩ ରନ, ଟିମ ସେଫର୍ଟ ୧୨ରନ, ରଚିନ୍‌ ରବିନ୍ଦ୍ର ୭ ରନ ଏବଂ ଗ୍ଲେନ୍‌ ଫିଲିପ୍ସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ମିଚେଲ ସାଣ୍ଟନର ୪ ରନ ଏବଂ ଟିମ ସାଉଦୀ ୦ ରନକରି ଅପରାଜିତ ଥିଲେ।

ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୪ ଓଭରରେ ୨୪ ରନଦେଇ ୧ ଓ୍ବିକେଟ ନେଇଥିବା ବେଳେ, ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୩ ରନ ୨ ଓ୍ବିକେଟ, ଅକ୍ଷର ପଟେଲ ୪ ଓଭରରେ ୩୧ରନ, ଦୀପକ ଚହର ୪ ଓଭରରେ ୪୨ରନ ୧ ଓ୍ବିକେଟ ଏବଂ ମହମ୍ମଦ ସିରାଜ ୪ ଓଭରରେ ୩୯ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।