ଦେଓଗାଁ,ଏନଏନଏସ : ଦେଓଗାଁ ଥାନା ଅଞ୍ଚଳରେ ଗତ ଦୁଇ ମାସ ଭିତରେ ବିଭିନ୍ନ ସ୍ଥାନରେ ହୋଇଥିବା ଚୋରି, ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ୭ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବଲାଙ୍ଗିର ଏସିଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି । ଡକାୟତି କରିଥିବା ଯୁବକଙ୍କ ନାମରେ ବଲାଙ୍ଗିର, କଳାହାଣ୍ଡି, ସୋନପୁର ଜିଲ୍ଲାର ବିଭିନ୍ନ ଥାନାର ଅପରାଧିକ ମାମଲା ରୁଜୁ ହୋଇଛି। ଏହି ଡକାୟତି ଉଦ୍ୟମ ବେଳେ ବବ୍ୟହୃତ ଏବଂ ଚୋରି ହେଇଥିବା ୧୧ଟି ବାଇକ, ୭ଟି ମୋବାଇଲ, ୫ ହଜାର ୩ ୭୦ ଟଙ୍କା ମଧ୍ୟ ଜବତ କରିଛି । ଗତ ଅକ୍ଟୋବର ମାସ ୨୮ ତାରିଖରେ ଭାଲୁକୁନ୍ଦ ନିକଟସ୍ଥ ଏକ ପୋଲ ପାଖରେ ଭାରତ ଫାଇନାନ୍ସ ବୀମା କମ୍ପାନୀର କର୍ମଚାରୀ ଯୁଗେଶ୍ୱର ନନ୍ଦ ସ୍ଵୟଂ ସହାୟକ ଗୋଷ୍ଠୀରୁ ସଂଗ୍ରହ କରିଥିବା ୪୭ ହଜାର ଟଙ୍କା ଏକ କଳା ପଲସର୍ ଗାଡ଼ିରେ ୩ଜଣ ଦୁବୃର୍ତ୍ତ ଆସି ଲୁଟି ନେଇଥିଲେ।
ସେହିପରି ବନ୍ଧପଡ଼ା ଫାଣ୍ଡି ଅଧିକାରୀ କମଳ ଲୋଚନ ମାଝୀ ଗତ ବୁଧବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଦେଶଣ୍ଡ-ବନ୍ଧପଡ଼ା ରାସ୍ତାରେ ଏକ ନମ୍ବର ବିହୀନ ବାଇକରେ ଆସୁଥିବା ଦେଶଣ୍ଡ ଗାଁର ସନ୍ତୋଷ କଲେତକୁ ସନ୍ଦେହ କରି ପଚରାଉଚୁରା କରିବା ପରେ ତାହା ଏକ ଚୋରି ବାଇକ ବୋଲି ଜାଣିବାକୁ ପାଇଥିଲେ। ପରେ ଦେଓଗାଁ ଥାନାର କେସ ନମ୍ବର ୨୪୬ ଓ ୨୬୩ରେ ଜଡ଼ିତ ଥିବା ଧଣ୍ଡାମାଲ ଗାଁର ଅବିନାଶ ନାଗ(୨୧)ଦେଶଣ୍ଡ ଗାଁର ସନ୍ତୋଷ କଲେଟ (୨୬), ସେବକ ନାୟକ (୨୫) ସଇଁନ୍ତଳା ଥାନା ରେଙ୍ଗାଲୀ ନୂଆଁବସ୍ତିର ରାକେଶ ହରପାଳ(୨୫), ସୁବରାଜ ବାରିକ (୨୬) କେନ୍ଦୁଉଡ଼ାରର ଈଶ୍ୱର ଚନ୍ଦ୍ର ଗୁର୍ଦ୍ଦା(୩୧), ବେଲପଡ଼ା ଥାନା ଡୁଙ୍ଗୁରିଗୁଡ଼ା ଗାଁର ପ୍ରତାପ ସୁନାଙ୍କୁ(୨୩) ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଏହି ଡକାୟତି ଓ ବାଇକ ଉଦ୍ଧାର ମାମଲାର ତଦନ୍ତ ଭାର ବନ୍ଧପଡ଼ା ଫାଣ୍ଡି ଅଧିକାରୀ କମଳଲୋଚନ ମାଝୀ ନେଇଛନ୍ତି। ଦେଓଗାଁ ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ତୁଷୁରା ଆଇଆଇସି ଯଶୋବନ୍ତ ପ୍ରଧାନୀ, ଦେଓଗାଁ ଓଆଇସି ରଞ୍ଜନ ବରିହା ଓ ଏସଆଇ ବିଚିତ୍ରା ନନ୍ଦ ପ୍ରଧାନ ଉପସ୍ଥିତ ଥିଲେ। ଦେଓଗାଁ ଅଞ୍ଚଳରେ ହୋଇଥିବା ବିଭିନ୍ନ ଡକାୟତି ଘଟଣାର ଗୋଟିଏ ପରେ ଗୋଟିଏ ପର୍ଦ୍ଦାଫାସ ହେବ ବୋଲି ଏସଡିପିଓ ସୂଚନା ଦେଇଥିଲେ।