ଲୁଟ୍‌ ବେଳେ ପ୍ରତିବାଦ କରିବାରୁ ଆକ୍ରମଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

କଟକ,ଏନ୍ଏନ୍ଏସ୍‌: ଘରୁ ଲୁଟ୍ ବେଳେ ପ୍ରତିବାଦ କରିବାରୁ ସ୍ବାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ସ୍ବାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ କଟକ ନେମାଳ ଅନ୍ତର୍ଗତ ଲେଣ୍ଡର ଭଗବାନପୁର ଗ୍ରାମରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । ଭଗବାନପୁରର ଋଷିକେଶ ମୁଦୁଲିଙ୍କ ଘରେ ସଶସ୍ତ୍ର ଡକାୟତି ବେଳେ ଦୁର୍ବୃତ୍ତମାନେ ଏପରି ମରଣାନ୍ତକ ଆକ୍ରମଣ କରିଛନ୍ତି ।

ସୂଚନାଯୋଗ୍ୟ, ରାତିରେ ସମସ୍ତେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଋଷିକେଶଙ୍କ ଘରେ ପଶିଥିଲେ । ଏହାପରେ ଦୁଇ ଛୁଆଙ୍କୁ ଅନ୍ୟ ଏକ ଘରେ ବନ୍ଦ କରି ସୁନା ଗହଣା ଲୁଟିବାକୁ ଉଦ୍ୟମ କରିଥିଲେ । ଏହାକୁ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ସ୍ବାମୀ-ସ୍ତ୍ରୀ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ସ୍ବାମୀଙ୍କ ମୃତ୍ୟୁ ହୋଇଛି ଓ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଛି । ଖବର ପାଇ ନେମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଥିବା ସୂଚନା ମିଳିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।